ଏନ୍ଏନ୍ଏସ ଓଡିଆ,ହୀରାକୁଦ: ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ୨୩ ତାରିଖ ସକାଳ ୯ଟାରେ ଚଳିତ ମୌସୁମୀ ଋତୁରେ ପ୍ରଥମ ବନ୍ୟଜଳ ମହାନଦୀ ର ତଳମୁଣ୍ଡକୁ ନିଷ୍କାସନ କରାଯିବ । ତେଣୁ ତଳମୁଣ୍ଡରେ ଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ନିର୍ଦ୍ଦଶ ଦିଆଯାଇଛି । ଏହି ସମୟରେ ମହାନଦୀକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୧୧.୫୨ ଫୁଟରେ ପହଁଚିଛି । ଏହି ସମୟରେ ହୀରାକୁଦ ଡ୍ୟାମ୍ର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୧ ଲକ୍ଷ ୪୦ ହଜାର ୪୮ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି । ଆଗାମୀ ଦିନରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଆଖି ଆଗରେ ରଖି ବନ୍ୟା ପରିଚାଳନା ପାଇଁ ପ୍ରତ୍ୟେକ ବର୍ଷ ଗେଟ୍ ଖୋଲିବାର ନିଷ୍ପତି ନିଆଯାଇଥାଏ । ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ବୃଦ୍ଧି ଘଟିଛି । ଏଣୁ ଗେଟ୍ ଖୋଲାଯିବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି । ପ୍ରତ୍ୟେକ ବର୍ଷ ଭଳି ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ସହର ପଟ ନଦୀବନ୍ଧର ୭ ନମ୍ବର ଗେଟ୍ ଯୋଗେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ।