ଭୁବନେଶ୍ୱର : ଆସନ୍ତା ୧୬ ତାରିଖରୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ସମୟରେ ପୂର୍ବଦିଗ ସମୁଦ୍ର ମଧ୍ୟରୁ ଗରମ ପବନ ଓଡିଶା ମଧ୍ୟକୁ ପ୍ରବାହିତ କରିବ । ଠିକ୍ ସେହି ସମୟରେ ଉତ୍ତର – ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ବହିବ । ଗୋଟିଏ ସମୟରେ ରାଜ୍ୟ ଭିତରକୁ ଗରମ ଓ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳରେ ଉଭୟ ବାୟୁ ମିଶ୍ରଣ କରିବ । ଏହା ଦ୍ୱାରା ଘଡଘଡି ସହିତ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି । ୧୬ରେ ବରଗଡ,ଝାରସୁଗୁଡା, ନୂଆପଡା,ସୁନ୍ଦରଗଡ,ସମ୍ବଲପୁର,ଅନୁଗୁଳ,ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡଘଡି ହୋଇପାରେ । ୧୭ରେ ବିଭିନ୍ନ ସ୍ଥାନରେ ଘଡଘଡି ହେବାର ସମ୍ଭାବନା ରହିଛି । ଏହା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତା ଦୁଇଦିନ ଧରି ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କୁହୁଡି ଦୃଶ୍ୟମାନ ହେବ । ଶନିବାର ସକାଳେ କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ସୋନପୁର ଜିଲ୍ଲାରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ଫୁଲବାଣୀରେ ୧୦ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଅନ୍ୟାନ୍ୟ ସ୍ଥାନ ଗୁଡିକରେ ପାରଦ ୧୧ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ । ପ୍ରାୟ ୨ରୁ ୩ଡିଗ୍ରୀ ଯାଏଁ ବଢିବ । ଅପରପକ୍ଷରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ରାଜ୍ୟର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ରହିଛି, ଏହା କ୍ରମଶଃ ଭାବେ ବଢିବ । ଆସନ୍ତା ୧୬ତାରିଖରେ ପଶ୍ଚିମ ଓଡିଶା ଓ ସଂଲଗ୍ନ ଛତିଶଗଡ ସହିତ ଝାଡଖଣ୍ଡରେ ବଙ୍ଗୋପସାଗରୀୟ ପବନ ସହିତ ଉତ୍ତରା ପବନ ମିଶ୍ରଣ କରିବ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ୪ ଦିନ ଧରି ପାଗ ମେଘୁଆ ରହିବ ।କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖରୁ ପୁଣି ଉଭୟେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବ୍ୟଦ୍ଧି ପାଇବ ।