ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଓଡ଼ିଶାର ଅଦାଲତ ଅବମାନନା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଛୁ।ଯାହା ଫଳରେ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଟିଆର ଫଗୁସେନାରୀ, ଫାଟୁସେନାରୀ ଓ ଗଞ୍ଜିଆପଦର ଗାଁରେ ନିର୍ବଚନ କରୁଛି ଆନ୍ଧ୍ର ସରକାର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧିନରେ ଏହି ୩ଟି ଗାଁ ରହିଛି।ଉଲ୍ଲେଖଯୋଗ୍ୟ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ଓଡ଼ିଶା। ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ। ଆନ୍ଧ୍ର ବିରୋଧରେ କାହିଁକି ଅବମାନନା ମାମଲା ରୁଜୁ ହୋଇଛି ସେନେଇ ଓଡ଼ିଶା ବସ୍ତୃତ ତଥ୍ୟ ରଖିଛି।