ବ୍ୟୁରୋ : ଆସନ୍ତାକାଲି ହେବାକୁ ଯାଉଛି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଆଉ ଏହି ସୂର୍ଯ୍ୟପରାଗରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ । ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ଘୋଟିଯିବା ଫଳରେ ଦିନରେ ମଧ୍ୟ ରାତି ପରି ଭ୍ରମ ସୃଷ୍ଟି ହେବ। ତେବେ ପୂର୍ଣ୍ଣ ସୂର୍ୟ୍ୟପରାଗ କେତେବେଳେ, କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଏବଂ ଏହା କାହିଁକି ହୋଇଥାଏ, ଜାଣନ୍ତୁ…
ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ୟ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ୟ୍ୟନ୍ତ ଏପରି ବିରଳ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଏହି ପୂର୍ଣ୍ଣ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବ। କିନ୍ତୁ ଭାରତରେ ଏହାର ବିଶେଷ ପ୍ରଭାବ ପଡିବନି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୂଚନା ଅନୁସାରେ, ପୂର୍ଣ୍ଣ ସୂର୍ୟ୍ୟପରାଗ ଆମେରିକା ବ୍ୟତୀତ କାନାଡା, ମେକ୍ସିକୋ ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ଦୃଶ୍ୟମାନ ହେବ।
ଏହି ସୂର୍ୟ୍ୟପରାଗର ପ୍ରଭାବ ପାଖାପାଖି ୧୨ ଘଣ୍ଟା ରହିବ ବୋଲି ଜ୍ୟୋତିର୍ବିଦମାନେ ଆକଳନ କରିଛନ୍ତି। ଏପ୍ରିଲ ୮ ମଧ୍ୟାହ୍ନ ୨ଟା ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ମଧ୍ୟ ରାତ୍ରି ୨ଟା ୨୨ରେ ଶେଷ ହେବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ୟ୍ୟପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ୟ୍ୟଙ୍କୁ ଖାଲି ଆଖିରେ ଦେଖିହେବ। ଏଥିପାଇଁ କୌଣସି ସନ୍ ଗ୍ଲାସର ବ୍ୟବହାର ମଧ୍ୟ କରିବାକୁ ପଡ଼ିବନି।