ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଅର୍ଥାତ ଆସନ୍ତାକାଲି ସକାଳ ୯ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଚଳିତ ବର୍ଷର ଏହା ପ୍ରଥମ ବନ୍ୟା ଜଳ । ୫ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯିବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।
ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି ।
ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯିବ । ଏହାପରେ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷାର ପରିମାଣକୁ ତର୍ଜମା କରାଯାଇ ୫ଟି ଗେଟ୍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ବାମପଟର ସ୍ପିନ୍ରୁ ତିନୋଟି ଗେଟ୍ ଏବଂ ଦକ୍ଷିଣପଟ ସ୍ପିନ୍ର ଦୁଇଟି ଖୋଲାଯିବ ।
ଆଜି ଦିନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୪.୩.୭ ଫୁଟ୍ ଥିଲା । ଜଳଭଣ୍ଡାରର ମଧ୍ୟକୁ ପ୍ରାୟ ୮୮ ହଜାର ୩୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୪୦ ହଜାର ୨୪୩ କ୍ୟୁସେକ୍ ଜଳ ଛଡ଼ାଯାଉଛି ।