<h3>ପୁରୀ, ୦୯/୦୫/୨୪: ଆସନ୍ତାକାଲି ଠାରୁ ଆରମ୍ଭ ହେବମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ ନରେନ୍ଦ୍ର ପୁଷ୍କରିଣୀରେ। ତେବେ ଚନ୍ଦନ ଯାତ୍ରା ଯେଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ବିଶ୍ଵକର୍ମା, ଭୋଇ ସେବକ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ପ୍ରସ୍ତୁତି କାର୍ୟ୍ୟରେ ଲାଗି ପଡ଼ିଛନ୍ତି। ମହାପ୍ରଭୁ ଜଳକ୍ରୀଡା କରୁଥିବା ନନ୍ଦା, ଭଦ୍ରାକୁ ଚାପ ଡଙ୍ଗା ଭାବେ ପ୍ରସ୍ତୁତ କରାଯାଉଛି। ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଠାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିଜେ କରି ଏହି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି। ନୂତନ ଭାବେ ନରେନ୍ଦ୍ର ପୁଷ୍କରିଣୀ ସମ୍ମୁଖରେ ଏକ ଆକର୍ଷଣୀୟ ତୋରଣ କରାଯାଉଥିବା ବେଳେ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ମହାପ୍ରଭୁଙ୍କ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ପଥରରେ ଖୋଦିତ ବିଭିନ୍ନ କଳାକୃତିକୁ ସ୍ଥାନ ଦିଆଯାଇଛି। ସେହିପରି ଚିତ୍ରକର ସେବାୟତ ମାନେ ମଧ୍ୟ ବିଭିନ୍ନ ଚିତ୍ର କାର୍ୟ୍ୟରେ ଲାଗି ପଡ଼ିଛନ୍ତି। ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ହେବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ବିଶ୍ଵକର୍ମା ସେବକ ମାନେ ରଥକାଠ କୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରି ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ କରିବେ। ଚନ୍ଦନ ଯାତ୍ରା ଆଉ ମାତ୍ର ଦୁଇଦିନ ଥିବାବେଳେ ମାର୍କେଟ ଛକରୁ ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥିବା ରାସ୍ତାର କାର୍ୟ୍ୟ ଚାଲିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି। ତେବେ ଚନ୍ଦନ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ୟ୍ୟ ସାରିବାକୁ ସାଧାରଣରେ ଦାବି ହୋଇଛି।</h3>