ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୯.୦୨): ବାସ୍ତୁ ଦୋଷ କାରଣରୁ ଅନେକଙ୍କ ଜୀବନରେ ସମସ୍ୟା ଲାଗି ରହିଥିବା ଦେଖାଯାଏ। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଆଦି ରହିଥାଏ। ବାସ୍ତୁ ସମସ୍ୟା ରହିଲେ, ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ପରିବାରରେ ମଧ୍ୟ ଅଶାନ୍ତି ଦେଖାଯାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ..
ଗୃହରେ ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ ଓ ବାସ୍ତୁ ଦୋଷ ଦୂର ହୋଇଥାଏ। ଏଥିପାଇଁ ଘରର ଉତ୍ତର ଦିଗରେ ମନି ପ୍ଲାଣ୍ଟ ଗଛ ଲଗାନ୍ତୁ। ଏହି ଦିଗକୁ ଭଣ୍ଡାର କୋଣ ମଧ୍ୟ କୁହାଯାଏ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଖୁବ ଉନ୍ନତି ହୋଇଥାଏ।
ଘରର ବାସ୍ତୁ ଦୋଷ ଦୂର ପାଇଁ ଦର୍ପଣ ମଧ୍ୟ ଲାଭକାରୀ। ଏଥିପାଇଁ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ସଠିକ୍ ଆକାରର ଦର୍ପଣ ଲଗାନ୍ତୁ। ଦର୍ପଣକୁ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହି ସ୍ଥାନରେ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ। ଦର୍ପଣକୁ କଦାପି ପ୍ରବେଶ ଦ୍ୱାର ପଛପାଖରେ ଲଗାନ୍ତୁ ନାହିଁ।
ବାସ୍ତୁ ଦୋଷକୁ ଦୂର ପାଇଁ ଘରେ କ୍ରିଷ୍ଟଲ୍ ବଲ୍ବ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ପରିବାରରେ କଳହର ସ୍ଥିତି ସୃଷ୍ଟି ହୋଇନଥାଏ। ଏହାଦ୍ୱାରା ଘରେ ଉନ୍ନତି ମଧ୍ୟ ହୋଇଥାଏ। ଏହାକୁ ସର୍ବଦା ସଫାସୁତୁରା ରଖନ୍ତୁ। ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଅଧିକ ଶୁଭଦାୟକ।
ବାସ୍ତୁରେ ୱିଣ୍ଡ୍ ଚାଇମ୍ର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଏହାକୁ ଲଗାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସୁଖସମୃଦ୍ଧିର ଆଗମନ ହୋଇଥାଏ। ଏହାର ଶବ୍ଦ ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ବୁଝାମଣା ରହିଥାଏ।
ବାସ୍ତୁ ଦୋଷ ଦୂର ପାଇଁ ଘରେ ଘୋଡାନାଲ ମଧ୍ୟ ରଖିବା ଶୁଭଙ୍କର। ମାନ୍ୟତା ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଘୋଡା ନାଲ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାସହ ଘରେ ସୁଖ ଓ ସମୃଦ୍ଧିର ମଧ୍ୟ ଆଗମନ ହୋଇଥାଏ। ଘୋଡାନାଲକୁ କଦାପି ଓଲଟା ରଖିବେ ନାହିଁ, ଏଥିପ୍ରତି ସର୍ବଦା ଧ୍ୟାନ ଦେବେ। ଏହାକୁ ଉପର ମୁହାଁ କରି ଟାଙ୍ଗନ୍ତୁ।