<h3>ପୁରୀ,୨୩/୪/୨୪: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ତେଣୁ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିଛନ୍ତି । ମହାରଣା ସେବକମାନେ ଏହାକୁ ମରାମତି କରି ଚାପ ଡଙ୍ଗାଗୁଡିକୁ ପ୍ରସ୍ତୁତ କରିବେ । ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ଆସନ୍ତା ମେ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବା ସହ ଆରମ୍ଭ ହେବ ଚନ୍ଦନ ଯାତ୍ରା । ପରମ୍ପରା ଅନୁଯାୟୀ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକ ନନ୍ଦା, ଭଦ୍ରା,ବୈଜୟନ୍ତରୀ ସମୁଦାୟ ୫ଟି ଡଙ୍ଗାକୁ ପାଣି ଭିତରୁ କାଢିଛନ୍ତି । ଏହି ଡଙ୍ଗାଗୁଡିକୁ ଖରାରେ ଶୁଖାଯିବା ପରେ ପିଚୁରାଳ ଦେଇ ମରାମତି କରାଯିବ । ଏହା ପରେ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ସୁସଜ୍ଜିତ ନନ୍ଦା ଭଦ୍ରା ଚାପ ଡଙ୍ଗାରେ ବସି କରିବେ ଜଳକ୍ରୀଡା । ଏଥିନିମନ୍ତେ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯୀକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ପୁଷ୍କରିଣୀର ଚାରିପାଖ ପାଚେରୀଗୁଡିକରେ ମହାପ୍ରଭୁଙ୍କ ବିଭିନ୍ନ ଲୀଳାକୁ ପଥରରେ ଖୋଦେଇ କରାଯାଉଛି ଯାହା ପୁଷ୍କରିଣୀର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିବ । ସେହିପରି ଉଜ୍ଜ୍ୱଳ ଆଲୋକ ସହ ଭକ୍ତଙ୍କ ବସିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି । ଯାହାକୁ ଭକ୍ତ ଓ ସେବାୟତମାନେ ସ୍ୱାଗତ କରିଛନ୍ତି । ସେପଟେ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।</h3>