<h3>ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଶୁକ୍ରବାର ଦ୍ବିତୀୟ ପର୍ୟ୍ୟାୟ ମତଦାନ ହେବ । ଏଥିରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ କରାଜିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟରେ ମୋଟ ୧୨୧୦ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ବିଜେପିରୁ ହେମା ମାଳିନୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏହି ପର୍ୟ୍ୟାୟରେ ବହୁଜନ ସମାଜ ପାର୍ଟି ସର୍ବାଧିକ ୭୪ ଜଣ ପ୍ରାର୍ଥୀ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ୬୯ ଓ କଂଗ୍ରେସ ୬୮ ପ୍ରାର୍ଥୀ ଦେଇଛି। କର୍ଣ୍ଣାଟକରେ ସର୍ବାଧିକ ୨୪୭ ପ୍ରାର୍ଥୀ ମଇଦାନରେ ଥିବା ବେଳେ ମହାରାଷ୍ଟ୍ରରେ ୨୦୪ ଓ କେରଳରେ ୧୮୯ ପ୍ରାର୍ଥୀ ରହିଛନ୍ତି । ଏହି ପର୍ୟ୍ୟାୟରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ମତଦାନ ଶେଷ ହେବ । ୨୦୧୯ ଲୋକସଭା ନିର୍ବାଚନରେ ଦ୍ୱିତୀୟ ପର୍ୟ୍ୟାୟର ଏହି ୮୯ଟି ଆସନରୁ ଏନ୍ଡିଏ ୫୬ଟି ରେ ବିଜୟୀ ହୋଇଥିବା ବେଳେ ୟୁପିଏ ୨୪ଟି ଆସନରେ ବିଜୟୀ ହୋଇଥିଲା । ୮୯ଟି ଆସନରେ ମତଦାନ ଲାଗି ସ୍ଥିର ହୋଇଥିଲା । କିନ୍ତୁ ବିଏସ୍ପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଲୋକସଭା ଆସନରେ ମତଦାନ ସ୍ଥଗିତ ରଖାଯାଇଛି ।</h3>