<h3>ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ସହ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ମହାପ୍ରଭୂ ଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ଏହାପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ୟ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ପ୍ରାର୍ଥନା କରିଥିଲେ।</h3>