ଆରମ୍ଭ ହେଲା ପିତୃପୁରୁଷଙ୍କ ଦିନ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ତିଳତର୍ପଣ କରିବେ ଶହ ଶହ ଲୋକେ।
ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସବୁଠି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତେଣୁ ସେ ସବୁ ଜଳାଶୟରେ ପାଣି ଶୁଖି ଯାଇଥିବାରୁ ତିଳତର୍ପଣ କରିବା ନିଶ୍ଚିତ କଷ୍ଟ ସାଧ୍ୟ ହେବ ବୋଲି ଅଭିଯୋଗ ହେଉଛି।
କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା । କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା । କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ । ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ ।
ପିତୃପକ୍ଷ ପାଳନରେ ନେଇ ରହିଛି କିଛି ନିତି ନିୟମ, ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ । ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍ ।