ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ବାହାରିଛନ୍ତି ଯାତ୍ରୀ । ମହାଦେବଙ୍କ ଦର୍ଶନ ପାଇଁ ବେସ କ୍ୟାମ୍ପରୁ ଆରମ୍ଭ ହୋଇଛି ଯାତ୍ରା । ଧାର୍ମିକ ଭାବାବେଗ ସହ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ବେସ କ୍ୟାମ୍ପ ଛାଡିଛନ୍ତି । କିଏ ଚାଲି ଚାଲି ଯାଉଛି ତ ଆଉ କିଏ ଘୋଡା ପିଠିରେ ବସି କରୁଛନ୍ତି ଯାତ୍ରା । ପହଲଗାମ ନୁନୱାନ ବେସ କ୍ୟାମ୍ପ ଏବଂ ବଲତାଲ ବେସ କ୍ୟାମ୍ପରୁ ଯାତ୍ରା ଆରମ୍ଭ ହୋଇଛି । ଦୁଇଟି ରାସ୍ତା ଦେଇ ଅମରନାଥକୁ ଯାଉଛନ୍ତି ଶ୍ରଦ୍ଧାଳୁ । ପହଲଗାମ ରାସ୍ତା ୪୮ କିଲୋମିଟର ହୋଇଥିବା ବେଳେ ବଲତାଲ ରାସ୍ତା ୧୪ କିଲୋମିଟର । ଅମରନାଥଙ୍କ ଦର୍ଶନ ଆଷାଢ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ ବାବା ଅମରନାଥ ଭକ୍ତମାନଙ୍କୁ ଦୀର୍ଘ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି । ଭଗବାନ ଶିବଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଅମରନାଥ ଧାମ । ଭଗବାନ ଶିବଙ୍କର ଦୁର୍ଲଭ ଓ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ । ତେବେ ଆଜିଠୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଆସନ୍ତା ଅଗଷ୍ଟ ୧୯ରେ ଶେଷ ହେବ । ତେବେ ପ୍ରଥମ ବ୍ୟାଚ୍ ଯାତ୍ରା ପାଇଁ କାଶ୍ମୀର ଉପତ୍ୟକାରେ ଶୁକ୍ରବାର ୪ହଜାର ୬୦୩ ଯାତ୍ରୀ ପହଂଚିଥିଲେ । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ମୋଟ ୩ ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି । ଅନ୍ୟପଟେ ଅମରନାଥ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।