ଭୁବନେଶ୍ୱର: ଆରମ୍ଭ ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ସାଧୁସନ୍ଥ ବୁଡ଼ ପକାଇ ଯଜ୍ଞସ୍ଥଳକୁ ଫେରିଛନ୍ତି। ଏଠାରେ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନାବଜାର ଓ ଖାଦ୍ୟ ଷ୍ଟଲ୍ରେ ମଧ୍ୟ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁସାରେ, ଆଜି ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୁଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ଖଣ୍ଡଗିରି ଥାନା ଛକଠାରୁ ବରମୁଣ୍ଡା ଆଡ଼କୁ ଯାଇ ଖାରବେଳ ହୋଟେଲ୍ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ବାଜା, ବାଣ, ରୋଷଣୀରେ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ପରେ ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ କରିଥିଲେ। ମା’ ବାରଭୁଜାଙ୍କ ଖଣ୍ଡ ଖିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହାସହ ଅଖଣ୍ଡ ଧୁନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ମା’ ବାରଭୁଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ପାରାୟଣ କରାଯିବ। ତେବେ ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି।