କାଲିଫର୍ଣ୍ଣିଆ ; ଯୁକ୍ତରାଷ୍ଟ୍ର ଆମେରିକାଠାରେ ନିକଟରେ ପଞ୍ଚମ ଓଡ଼ିଶା ଆର୍ଟିଫିସିଆଲ଼ ଇଣ୍ଟେଲିଜେନ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଢଙ୍ଗରେ ଆୟୋଜିତ ଏହି ମହାସମାବେଶରେ ବିଶ୍ୱର କୋଣ ଅନୁକୋଣର ଶତାଧିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞ, ବୈଜ୍ଞାନିକ, ପରାମର୍ଶଦାତା, ଗବେଷକ, ଉଦ୍ଭାବକ ଏବଂ ଏ.ଆଇ ସହିତ ସଂଶ୍ଲିଷ୍ଟ ପେଶାଦାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖାଯାଇଥିଲା। କାଲିଫର୍ଣ୍ଣିଆସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଓଡ଼ିଶା ଏ. ଆଇ ଆନୁକୂଲ୍ୟରେ ଆହୂତ ଦୀର୍ଘ ୩୨ ଘଣ୍ଟାର ଏହି ଅଧିବେଶନ ବ୍ୟାପକ ଭାବରେ ସଫଳ ହୋଇଥିବା ଜଣାଯାଇଛି। ବିଶେଷକରି ଏହି ଆନ୍ତର୍ଜାତିକ ସମ୍ମିଳନୀର ବାସ୍ତବ ସ୍ଥଳ ଯଥା ; କାଲିଫର୍ଣ୍ଣିଆ , ଷ୍ଟକହୋମ, ଲଣ୍ଡନ, ଆବୁଧାବି, ଟୋକିଓ, ଜୋହାନ୍ସବର୍ଗ, ବେଙ୍ଗାଲୁରୁ, ଚେନ୍ନାଇ, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଆଦିଠାରେ ଯୁବ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
‘ବର୍ତ୍ତମାନ ଜେନ ଏଆଇ, ପରବର୍ତ୍ତୀ କ’ଣ ?’ ଶୀର୍ଷକ ବହୁ ପ୍ରତୀକ୍ଷିତ ଏହି ଆଇ.ଟି ମେଳାକୁ ସ୍ଵିଡେନର କର୍ଣ୍ଣେଲ ପ୍ରଫେସର ଆଦିତ୍ୟ ପରିଡ଼ା ଜାପାନରେ ସୂର୍ଯ୍ୟୋଦୟର ପ୍ରଥମ କିରଣ ଦୃଶ୍ୟମାନ ହେବା ମାତ୍ରେ ଶୁଭାରମ୍ଭ ଘୋଷଣା କରିଥିଲେ। ଆମେରିକୀୟ ସାମୋଆଠାରେ ସୂର୍ଯ୍ୟ ଦିଗବଳୟରୁ ଅସ୍ତମିତ ହେବା ସମୟରେ ଏହି ସମ୍ମିଳନୀରେ ଯବନିକା ପାତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁପ ସାହୁଙ୍କ ନେତୃତ୍ବରେ ଜାପାନର ପ୍ରତିଭାବାନ ଟିମ ଏ.ଆଇର ପ୍ରୟୋଗ ଉପରେ ଏକ ଚମତ୍କାର ବିଶ୍ଲେଷଣ ଉପସ୍ଥାପନ କରିଥିଲେ । ପରେପରେ କାଲିଫର୍ଣ୍ଣିଆର ବିଶିଷ୍ଟ ନିବେଶକ ରାଜ ମୂର୍ତ୍ତିନି ଏଞ୍ଜେଲ ଇନଭେସଟିଂ ୧୦୧ କୁ କେନ୍ଦ୍ର କରି ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ ।ଏହି ସମାବେଶରେ ଅଂଶଗ୍ରହଣକାରୀ ସୂଚନା ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ପ୍ରଣୟନକାରୀମାନେ ମୁଖ୍ୟତଃ
ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ କ୍ଷେତ୍ରରେ ବର୍ଦ୍ଧିଷ୍ଣୁ ସୁଯୋଗ, ସଦ୍ୟତମ ଅଗ୍ରଗତି ଏବଂ ସାମ୍ପ୍ରତିକ ଆହ୍ବାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ପ୍ରମୁଖ ବକ୍ତା ଗୁଗୁଲର ମୁଖ୍ୟ ବୈଜ୍ଞାନିକ ଜେଫ ଡିନ ଭବିଷ୍ୟତରେ ବିଶେଷଜ୍ଞମାନଙ୍କ ଦ୍ୱାରା ଜେନେରେଟିଭ ଏ.ଆଇ ର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ। ଜେଫ, ମଲ୍ଟିମୋଡ଼ାଲ ମଡେଲଗୁଡ଼ିକର ବିକାଶ ଉପରେ ଜୋର ଦେଇଥିଲେ ଯାହା ବିଭିନ୍ନ ପାଠ୍ୟ, କୋଡ୍, ପ୍ରତିଛବି ଏବଂ ଭିଡିଓ ସହିତ ସଂଯୁକ୍ତ ତଥ୍ୟ ପ୍ରକରଣକୁ ଜେନେରେଟ କରିପାରିବ, ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟାନ୍ୱୟନ କରିପାରିବ ଏବଂ ଜଟିଳ ମଲ୍ଟିଷ୍ଟେପ ପ୍ରକ୍ରିୟାଗୁଡ଼ିକକୁ ନିର୍ଭରଯୋଗ୍ୟ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହେବ I ସେ ଉପରୋକ୍ତ ଏଆଇ ମଡେଲଗୁଡ଼ିକର ଅଭ୍ୟୁଦୟର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏନଆଇଏସ୍ଇଆର ଏବଂ ଆଇଆଇଏସ୍ଇଆର ଭଳି ଦୁଇଟି ଖ୍ୟାତିସମ୍ପନ୍ନ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନକୁ ଓଡ଼ିଶାକୁ ଆଣିବାର ଇତିହାସ ଉପରେ ତଥ୍ୟ ପ୍ରଦାନ କରି ପ୍ରଫେସର ଡଃ ଚିତ୍ତ ବରାଳ ଯୁବ ସମ୍ପ୍ରଦାୟକୁ ଓଡ଼ିଶାର ଡିଜିଟାଲ ବିକାଶ କ୍ଷେତ୍ରରେ ଉତ୍ସର୍ଗୀକୃତ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ।
‘ଇଣ୍ଟରକନେକ୍ଟ’ର ଉଦ୍ଭାବକ ଓ ବରିଷ୍ଠ ବୈଜ୍ଞାନିକ ଡଃ ଦେବେନ୍ଦ୍ର ଦାସ ଶର୍ମା, ଏ .ଆଇ ଯୁଗରେ ଆସୁଥିବା ବର୍ଦ୍ଧିତ କମ୍ପୁଟ ଓ ତତସହିତ ଆବଶ୍ୟକୀୟ ବିଦ୍ୟୁତଶକ୍ତିର ବ୍ୟବହାର ସମୟରେ ସର୍ବାଧିକ ଦକ୍ଷତା ଏବଂ ସର୍ବାଙ୍ଗୀନ ସଫଳତା ହାସଲ ପାଇଁ ଏ .ଆଇ କ୍ଷେତ୍ରରେ ଇଣ୍ଟରକନେକ୍ଟର ବ୍ୟାପକ ଭୂମିକା ଓ ତା’ର ବ୍ୟବହାର ଶୈଳୀ ଉପରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ପୂର୍ବତନ ସଭାପତି କୁକୁ ଦାସ, ଭବିଷ୍ୟତ ପୀଢିକୁ ସମାଜର ସର୍ବାଙ୍ଗୀନ ଉନ୍ନୟନ ସକାଶେ ସକରାତ୍ମକ ଏବଂ ଗଠନମୂଳକ ଉପାୟରେ ଏଆଇକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ପ୍ରସିଦ୍ଧ ଏ. ଆଇ ବିଦ୍ଵାନ ତଥା ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଏ. ଆଇର ପ୍ରଚାର, ପ୍ରସାର ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାଗ୍ରତ ପାଇଁ ଆୟୋଜକ ମାନଙ୍କର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ମହତ କାର୍ଯ୍ୟ ପ୍ରତି ତାଙ୍କର ନିରନ୍ତର ଭାବରେ ସାହାଯ୍ଯ ଓ ସମର୍ଥନ ରହିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
ବ୍ରହ୍ମପୁର ସ୍ଥିତ ଏନ୍ଆଇଏସଟିର ଅଧ୍ୟକ୍ଷ ଡଃ ସୁକାନ୍ତ କୁମାର ମହାପାତ୍ର , ଜିଇଆଇଟିର ଉପ କୁଳପତି ଏ ଭି ଏନ ଏଲ ଶର୍ମା,ପ୍ରଫେସର ବଂଶୀଧର ମାଝୀ ଏବଂ ସର୍ବମ ଏ. ଆଇ ର ପ୍ରତିଷ୍ଠାତା ଡଃ ପ୍ରତ୍ୟୁଷ ପଣ୍ଡା ଏ .ଆଇକୁ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପ୍ରୟୋଗ କରିବା ନେଇ ସେମାନଙ୍କର ଦୂରଦୃଷ୍ଟି ସମ୍ପନ୍ନ ମତାମତ ପ୍ରଦାନ କରିଥିଲେ। ପ୍ରଫେସର ଜେ. ଲୀ. ଶିଳ୍ପଭିତ୍ତିକ ଏ. ଆଇର ଦୃତ ପରିବର୍ତ୍ତନଶୀଳ ଚିତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଘମାଘୋଟ ଚର୍ଚ୍ଚାରେ ଭାଗ ନେଇଥିବା ଅନ୍ୟାନ୍ୟ ବରେଣ୍ୟ ବକ୍ତାମାନଙ୍କ
ମଧ୍ୟରେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ଶୈଳେନ୍ଦ୍ର ପାଣିଗ୍ରାହୀ, ରଶ୍ମିତା ପଣ୍ଡା, ଡକ୍ଟର ପ୍ରିୟଦର୍ଶନ ପାତ୍ର, ଡ ରାଜ ଡାବ୍ରେ, ସୁକାନ୍ତ ସାହୁ, ଦେବେନ୍ଦ୍ର ନାଥ ରାଉତ, ଓମ ମହାପାତ୍ର ଏବଂ ସୁନୀଲ ସାବତ ପ୍ରମୁଖ ଏକ ଉଜ୍ଜ୍ୱଳ ଭବିଷ୍ୟତର ସର୍ଜନା ସକାଶେ ଏଆଇର ସହଯୋଗ ଏବଂ ନବସୃଜନର ଅଭ୍ୟୁଦୟ ଉପରେ ଅଭିମତ ରଖିଥିଲେ।