ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ବନ୍ଧୁ, ସବୁଠାରୁ ଭିନ୍ନ ଏ ସମ୍ପର୍କ । ଏଥିରେ ନା ଥାଏ କୌଣସି ବାଛବିଚାର ନା ବୟସର କଟକଣା । ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି । ତେଣୁ ସମସ୍ତେ ବନ୍ଧୁତ୍ୱ ଦିବସକୁ ଖୁବ୍ ଉତ୍ସାହର ସହ ପାଳନ କରନ୍ତି । ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ । ବହୁ ପ୍ରାଚୀନ କାଳରୁ ପୁରାଣ ଭାରତୀୟ ସମାଜ ଉପରେ ପ୍ରଭାବ ପକାଇ ଆସିଛି । ରାମାୟଣ ଓ ମହାଭାରତରେ ଏମିତି ହଜାର ହଜାର କାହାଣୀ ଅଛି ଯେଉଁଗୁଡିକୁ ବିଭିନ୍ନ ସମୟରେ ସ୍ମରଣ କରାଯାଇଥାଏ । ଅନେକ କାହାଣୀରେ ଶିକ୍ଷଣୀୟ କଥା ମିଳେ ଏବଂ ଅନେକ ସମ୍ପର୍କର ଉଦାହରଣ ବାଣ୍ଟେ । ଭାରତୀୟ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ମଧ୍ୟ ରହିଛି। ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଏ। ଯେତେବେଳେ ବି ହିନ୍ଦୁ ପୁରାଣରୁ ବନ୍ଧୁତାର ଉଦାହରଣ କଥା ଉଠେ ପ୍ରଥମେ କୃଷ୍ଣ ସୁଦାମାଙ୍କୁ ନିଆଯାଏ। ସୁଦାମା କୃଷ୍ଣଙ୍କର ପିଲାଦିନର ବନ୍ଧୁ ଥିଲେ ବି ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଥିଲା। ସୁଦାମା ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ କୃଷ୍ଣଙ୍କ ସହାୟତା ନେବାକୁ ଦ୍ୱାରକା ଯାଇଥିଲେ। ବହୁ କଷ୍ଟରେ ସେ ଭଗବାନ କୃଷ୍ଣଙ୍କୁ ଭେଟିଥିଲେ, କିନ୍ତୁ ଉଭୟ ବନ୍ଧୁଙ୍କ ଦୀର୍ଘଦିନ ପରେ ମିଳନର ଉତ୍ସାହରେ ସେ ତାଙ୍କର ଆର୍ଥିକ ଅବସ୍ଥା କହିପାରି ନଥିଲେ। ଫେରିବା ସମୟରେ ସେ ଘରେ ତାଙ୍କ ପତ୍ନୀଙ୍କୁ କ’ଣ କହିବେ ସେକଥା ଭାବି ଭାବି ଆସୁଥିଲେ। ଦ୍ୱାରକାଧିଶ କିନ୍ତୁ ମନ କଥା ଜାଣି ସବୁ ପହଞ୍ଚେଇ ଦେଇଥିଲେ। ସୁଦାମା ଘରେ ପହଞ୍ଚିବା ପରେ ତାଙ୍କ ଆଶ୍ଚର୍ୟ୍ୟର ସୀମା ରହିଲା ନାହିଁ। ତାଙ୍କ ଘର ଏକ ସମୃଦ୍ଧ ପ୍ରାସାଦରେ ପରିଣତ ହୋଇଯାଇଥିଲା। ଏହା ଥିଲା ଜଣେ ବନ୍ଧୁର ଆଉ ଜଣେ ବନ୍ଧୁ ପ୍ରତି କର୍ତ୍ତବ୍ୟ। ଉଦାହରଣ ଭାବେ କୁହାଯାଏ ‘ବନ୍ଧୁ ହେବ ତ କୃଷ୍ଣ-ସୁଦାମାଙ୍କ ପରି’।
ତେବେ ଆଜିର ଏହି ବନ୍ଧୁତ୍ୱ ଦିବସକୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ପାଳନ କରିଥାନ୍ତି । କେହି କେହି ସୋସିଆଲ୍ ମିଡିଆରେ କିମ୍ବା ପୋଷ୍ଟ କରି ବନ୍ଧୁତ୍ୱ ଦିବସ ପାଳିଥାନ୍ତି ତ କେହି କେହି କେକ୍ କାଟି ପାଳନ କରିଥାନ୍ତି । ଆହୁରୀ ମଧ୍ୟ, ବନ୍ଧୁମାନେ ପରସ୍ପରକୁ କାର୍ଡ, ଅଭିବାଦନ, ଉପହାର ଦିଅନ୍ତି ଓ ଫ୍ରେଣ୍ଡସିପ୍ ବ୍ୟଣ୍ଡ ବାନ୍ଧି ଏହି ଦିନକୁ ପାଳନ କରିଥାନ୍ତି ।