ଆଜି ସେମି ଟକ୍କର । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ଅପରାହ୍ନ 2ଟା 30 ମିନିଟରେ ମ୍ୟାଚ ଆରମ୍ଭ ହେବ । ମଇଦାନକୁ ଓହ୍ଲାଇବାକୁ ରୋହିତ ସେନା ଓ ସ୍ମିଥ ବାହିନୀ ପୁରା ପ୍ରସ୍ତୁତ । ଚାମ୍ପିଅନ୍ସ ଟ୍ରଫିରେ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ୨୦୨୩ ବିଶ୍ବକପ ଫାଇନାଲ ପରାଜୟ ପ୍ରତିଶୋଧ ଅପେକ୍ଷାରେ ଭାରତ। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜେୟ ଅଛନ୍ତି । ଗ୍ରୁପ ପର୍ଯ୍ୟାୟ ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ଟିମ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି । ପ୍ରଥମ ସେମି ଫାଇନାଲ ପାଇଁ ଟିମ ଇଣ୍ଡିଆର ପ୍ଲେଇଁ ଇଲେଭେନ୍ କଣ ରହିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ରୋମାଞ୍ଚକୁ କଳ୍ପନା କରି ଫ୍ଲାନ୍ସଙ୍କ ହାର୍ଟବିଟ୍ ବଢ଼ିଗଲାଣି। ତେବେ କଣ ହେବ ସେମିଫାନାଲରେ । କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ। ପୂର୍ବ ଟିମ ସମାନ ରହିବ ନାଁ ପରିବର୍ତ୍ତନ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସ୍ପିନ୍ ବାହିନୀର ଯାଦୁ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ପିନର ନିଜ ନିଜ ଭିତରେ ୯ ୱିକେଟ ବାଣ୍ଟି ନେଇଥିଲେ। ବରୁଣ ଏକାକୀ ୫ ୱିକେଟ ନେଇଥିଲେ । ଭାରତର ୪ ଜଣିଆ ସ୍ପିନ ଆକ୍ରମଣ ଯୋଜନା ସଫଳ ହୋଇଥିଲା । ୪୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଭାରତ ପାଇଁ ମୁଖ୍ୟ ସମସ୍ୟା ରହିଛି ଖରାପ ଫିଲ୍ଡିଂ, କ୍ୟାଚ ମିସ । ସେହିପରି ମିଡିଲ ଅର୍ଡରରେ ରାହୁଲଙ୍କ ପ୍ରଦର୍ଶନ ସେଭଳି ଭଲ ନାହିଁ । ମହଙ୍ଗା ସାବ୍ୟସ୍ତ ହେଉଛନ୍ତି ମହମ୍ମଦ ସାମି । ଜାଡେଜା ୱିକେଟ ନେବାରେ ସଫଳ ହୋଇପାରୁ ନାହାନ୍ତି । ରୋହିତ ଓ ପାଣ୍ଡ୍ୟାଙ୍କ ଷ୍ଟ୍ରାଇକ ରେଟ ଭଲ ରହିଛି । ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରନ୍ତି ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡ। ଭାରତ ବିପକ୍ଷ ଗତ ଆଇସିସିର ସମସ୍ତ ଇଭେଣ୍ଟରେ ଟ୍ରାଭିସ ହେଡଙ୍କ ଦମଦାର ପ୍ରଦର୍ଶନ ବଳରେ କଙ୍ଗାରୁ ଦଳ ବିଜୟ ହାସଲ କରିଛି । ଭାରତ ଉପରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୫୧ଟି ଦିନିକିଆ ମଧ୍ୟରୁ ଅଷ୍ଟ୍ରେଲିଆ ୮୪ଟି ମ୍ୟାଚ ଜିତିଥିବା ବେଳେ ଭାରତ ୫୭ଟି ମ୍ୟାଚରେ ବିଜୟ ହୋଇଛି । ସେପଟେ ଦୁବାଇର ପିଚରେ ଭାରତୀୟ ସ୍ପିନରଙ୍କ ଭଲ ପ୍ରଦର୍ଶନ ଟିମ ପାଇଁ ଆଡଭାଣ୍ଟେଜ ହୋଇପାରେ।ଏହି ପିଚରେ ତିନୋଟି ମ୍ୟାଚ ଖେଳି ଅପରାଜିତ ରହିଛି ଟିମ୍ ଇଣ୍ଡିଆ। ତେବେ ବିଜୟର ଏହି ଧାରାକୁ ବଜାୟ ରଖିବାକୁ ପ୍ରୟାସ କରିବେ ମେନ୍ ଇନ ବ୍ଲୁ। ରୋହିତ ଓ କୋହଲିଙ୍କ ଯୋଡିର ପରଫର୍ମାନ୍ସ ଉପରେ ରହିଛି ପୁରା ବିଶ୍ବର ନଜର୍। ଏହି ଯୋଡିର ଜଲୱା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ କ୍ରିକେଟ ଫ୍ଲାନ୍ସ। ଆଉ ଏହି ଯୋଡି ଚାଲିଲେ ଦୁବାଇର ପିଚରେ ଟିମ୍ ଇଣ୍ଡିଆ କଙ୍ଗାରୁ ଶିକାର କରିବା ଥୟ। ଏହି ବିଜୟ ଧାରା ବଜାୟ ରହିଲେ ଚାମ୍ପିୟନ ଟ୍ରଫି ୨୦୨୫ରେ କୌଣସି ମ୍ୟାଚ ନହାରି ସିଧା ଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ୍ ବନିଯିବ ଭାରତ।