ରାଜ୍ୟର ପୁରପଲ୍ଲୀ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ଆଜି ମଣ୍ତପଗୁଡ଼ିକରେ ଚାଲିଛି ମାଆଙ୍କ ମହାନବମୀ ପୂଜା। ମଣ୍ଡପଗୁଡ଼ିକରେ ଗତକାଲି ସନ୍ଧିପୂଜା ପରେ ଆଜି ମହମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି ।
ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଳୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ। ଅନ୍ୟପକ୍ଷରେ ମନ ଜିଣୁଛି ଚିତ୍ତାକର୍ଷକ ତୋରଣ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା’ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ। ଏହାସହ ସିନ୍ଦୁର ଖେଳ ଓ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ।
ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର,ବ୍ରହ୍ମପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ।