ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୪.୦୨): ପ୍ରେମ ଏମିତି ଦୁଇଟି ଶବ୍ଦ, ଯାହା କେବଳ ମନକୁ ନୁହେଁ ହୃଦୟକୁ ବି ଛୁଇଁଯାଏ । ପ୍ରେମ ଦୁନିଆକୁ ସ୍ନେହ, ଶ୍ରଦ୍ଧାର ବନ୍ଧନରେ ବାନ୍ଧିପାରେ । ମଣିଷକୁ ସତ୍ ମାର୍ଗରେ ପରିଚାଳିତ କରାଏ । ପ୍ରେମର ରଙ୍ଗ ସବୁବେଳେ ନିଆରା । ସେ ରଙ୍ଗ ଯାହା ଦେହରେ ଥରେ ଲାଗିଯାଏ , ସେ ସାରା ଦୁନିଆକୁ ଭଲ ପାଇ ବସେ । ତେଣୁ ପ୍ରେମ ପାଇଁ ଦିନଟିଏ ଉତ୍ସର୍ଗୀକୃତ । ଆଜି ହେଉଛି ସେହି ପ୍ରେମ ଦିବସ ବା ଭାଲେଂଟାଇନ୍ସ ଡେ । ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଫେବୃଆରୀ ୧୪ ତାରିଖ ଦିନ ଏହି ଦିବସକୁ ପାଳନ କରାଯାଇଥାଏ । ତାଛଡ଼ା ଫେବୃଆରୀ ମାସରେ ବସନ୍ତର ଆଗମନ ସହିତ ଏହି ମାସକୁ ମଧ୍ୟ ପ୍ରେମର ମାସ ଭାବେ ବିବେଚନା କରାଯାଏ । ତେବେ ଏହି ପ୍ରେମ ଦିବସକୁ ଭାଲେଂଟାଇନ୍ସ ଡେ କାହିଁକି କୁହାଯାଏ ତାକୁ ନେଇ ମଧ୍ୟ ଏକ କାହାଣୀ ରହିଛି । ଭାଲେଂଟାଇନ୍ସ ଡେ ଜଣେ ବ୍ୟକ୍ତିଙ୍କ ନାମରେ ରଖାଯାଇଛି । ବ୍ୟକ୍ତିଜଣଙ୍କ ନାମ ଥିଲା ଭାଲେଂଟାଇନ । ଏହି କାହାଣୀଟି ହେଉଛି ଜଣେ କ୍ରୂର ଶାସକ ଓ ଆଉ ଜଣେ ସନ୍ଥଙ୍କ କାହାଣୀ । ଏହି କ୍ରୂର ଶାସକ ଜଣଙ୍କ ଥିଲେ ରୋମ୍ ର । ତୃତୀୟ ଶତାବ୍ଦୀର ଏହି ରାଜାଙ୍କ ନାମ କ୍ଲାଉଡିଅସ୍ । ଏହି କ୍ରୁର ଶାସକ ଜଣକ ମନରେ ଆସିଥିଲା ଜଣେ ବିବାହିତ ପୁରୁଷ ତୁଳନାରେ ଜଣେ ଅବିବାହିତ ପୁରୁଷ ଯୁଦ୍ଧ ମୁକାବିଲା ପାଇଁ ଅଧିକ ପ୍ରଭାବଶାଳୀ । କାରଣ ବିବାହିତ ସେନା ଜଣକ ମନରେ ଆସେ ଯେ ସେ ଯଦି ଯୁଦ୍ଧରେ ମରିଯିବ ତା ପିଲା ପରିବାରର କ’ଣ ହେବ । ଏହି ଚିନ୍ତା ଯୋଗୁ ସେ ଯୁଦ୍ଧ ମନସ ହୋଇପାରେ ନାହିଁ । ଏଭଳି ଚିନ୍ତାଧାରା ଯେତେେବେଳେ ରାଜା କ୍ଲାଉଡିଅସ୍ ଙ୍କ ମନକୁ ଆସିଲା ସେ ସଙ୍ଗେ ସଙ୍ଗେ ଘୋଷଣା କରିଦେଲେ ଯେ କୌଣସି ସେନା ବିବାହ କରିପାରିବେ ନାହିଁ । ଯଦି କେହି ମୋର ଏହି ଆଦେଶକୁ ଉଲ୍ଲଘଂନ କଲା ତାକୁ କଠୋର ଦଣ୍ଡ ଦିଆଯିବ । ରାଜାଙ୍କର ଏପରିି ନିଷ୍ପତି ଉପରେ ସବୁ ସେନାଙ୍କ ମଧ୍ୟରେ ନୈରାଶ୍ୟଭାବ ଖେଳିଗଲା । ସମସ୍ତେ ଏହି ନିଷ୍ପତି ଭୁଲ୍ ଜାଣିବି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିଲେ ନାହିଁ । ରାଜାଙ୍କର ଆଜ୍ଞା ପାଳିବାକୁ ମଜବୁର ହେଲେ । କିନ୍ତୁ ରୋମ୍ ର ଜଣେ ସନ୍ଥ ଭାଲେଂଟାଇନ୍ ଙ୍କୁ ଏଭଳି ଅନ୍ୟାୟ ଆଦୌବି ପସନ୍ଦ ନଥିଲା । ସେ ଲୁଚି ଲୁଚି ଜଣେ ଯୁବ ସିପାହୀଙ୍କୁ ସାହାଯ୍ୟ କଲେ ଓ ତାଙ୍କର ବିବାହ କରାଇଦେଲେ । ଯେଉର୍ ସିପାହୀ ତାଙ୍କର ପ୍ରେମିକାକୁ ବାହା ହେବାକୁ ଚାହୁଁଥିଲେ ସେମାନେ ସନ୍ଥ ଭାଲେଂଟାଇନ୍ ଙ୍କ ସାହଯ୍ୟ ନେଉଥିଲେ । ସନ୍ଥ ସେମାନଙ୍କୁ ଗୁପ୍ତରେ ବିବାହ କରାଇଦେଉଥିଲେ । କିନ୍ତୁ କଥାରେ କୁହନ୍ତି ସତ ଦିନେ ନା ଦିନେ ପଦାକୁ ଆସିବ । ଠିକ୍ ସେମିତି ସନ୍ଥ ଭାଲେଂଟାଇନ୍ଙ୍କ ଏହି ଖବର କ୍ରୂର କ୍ଲାଉଡିଅସ୍ ଙ୍କ ପାଖରେ ପହଁଚିଗଲା । ଭାଲେଂଟାଇନ୍ ରାଜାଙ୍କର ଆଦେଶ ପାଳନ ନକରିଥିବାରୁ ରାଜା ତାଙ୍କୁ ମୃତୁ୍ୟଦଣ୍ଡ ଶୁଣାଣି କଲେ ଏବଂ ତାଙ୍କୁ ଜେଲ୍ ହୋଇଗଲା । ଜେଲ ଭିତରେ ଭାଲେଂଟାଇନ ନିଜ ମୃତୁ୍ୟ ଦିନକୁ ଅପେକ୍ଷା କରିଥାନ୍ତି । ଦିନେ ତାଙ୍କ ନିକଟକୁ ଜେଲର ଆସିଲେ । ଜେଲରଙ୍କ ନାମ ଆଷ୍ଟେରିୟସ୍ ଥିଲା । ରୋମର ଲୋକମାନେ କୁହନ୍ତି କି ଭାଲେଂଟାଇନ୍ଙ୍କ ପାଖରେ ଦିବ୍ୟଶକ୍ତି ଥିଲା, ଯାହାକୁ ଉପଯୋଗ କରି ସେ ଲୋକମାନଙ୍କୁ ବ୍ୟାଧିମୁକ୍ତ କରାଉଥିଲେ । ଆଷ୍ଟେରିୟସ୍ ଙ୍କ ଝିଅ ଅନ୍ଧୁଣୀ ଥିଲା । ଜେଲର ଭାଲେଂଟାଇନ୍ସଙ୍କ ନିକଟକୁ ଯାଇ ତାଙ୍କର ଦିବ୍ୟ ଶକ୍ତି ଦ୍ୱାରା ଝିଅର ଅନ୍ଧାପଣକୁ ଠିକ୍ କରିବାକୁ ଗୁହାରୀ କଲେ । ଭାଲେଂଟାଇନ୍ ଅତି ଦୟାଳୁ ତଥା କୋମଳ ହୃଦୟର ବ୍ୟକ୍ତି ଥିଲେ । ସେ ଲୋକମାନଙ୍କୁ ସାହାଯ୍ୟ କରିଆସୁଥିଲେ । ଜେଲରଙ୍କ ଝିଅର ଅନ୍ଧପଣକୁ ବି ଠିକ୍ କରିଦେଲେ । ଏହାପରେ ଭାଲେଂଟାଇନ୍ ଓ ଆଷ୍ଟେରିୟସ୍ଙ୍କ ଝିଅ ମଧ୍ୟରେ ଭଲ ବନ୍ଧୁତା ହୋଇଗଲା । ଏହି ବନ୍ଧୁତା ବଦଳିଯାଇ କେତେବେଳେ ପ୍ରେମରେ ପରିଣତ ହେଲା ଜେଲରଙ୍କ ଝିଅ ଜାଣଇପାରିଲେନି । ସେ କେବଳ ଭାଲେଂଟାଇନ୍ଙ୍କ ମୃତୁ୍ୟ କଥା ଭାବି ଭାବି ନିର୍ବାକ୍ ହୋଇଗ୍ଲେ ।
ଶେଷରେ ଫେବୃଆରୀ ୧୪ ତାରିଖ ଆସିଲା । ଏହି ଦିନଟି ଥିଲା ଭାଲେଂଟାଇନ୍ ଙ୍କର ଫାଶୀର ଦିବସ । ନିଜର ମୃତୁ୍ୟ ପୂର୍ବରୁ ଭାଲେଂଟାଇନ୍ ଜେଲର ଙ୍କୁ ଖଣ୍ଡେ କାଗଜ ଓ କଲମଟିଏ ମାଗିଲେ ଓ ଏହି କାଗଜରେ ସେ ଜେଲରଙ୍କ ଝିଅ ପାଖକୁ ବିଦାୟ ସନେ୍ଦଶ ଲେଖି ଶେଷରେ ତୁମର ଭାଲେଂଟାଇନ୍ ବୋଲି ଲେଖିଲେ । ଏହା ଥିଲା ସେହି କାହାଣୀ ଯାହାକୁ ଲୋକମାନେ ଆଜିବି ମନେ ପକାନ୍ତି ଓ ତାଙ୍କର ବଳିଦାନକୁ ମନେ ପକାଇ ଦିବସଟିକୁ ପାଳନ କରୁଥିବାରୁ ଏହି ଦିବସର ନାମ ଭାଲେଂଟାଇନ୍ସ ଡେ ବୋଲି ରଖାଯାଇଛି । ଏହି ଦିନ ସବୁ ପ୍ରେମ କରୁଥିବା ବ୍ୟକ୍ତି ବିଶେଷ ନିଜର ପ୍ରେମିକ ବା ପ୍ରେମିକାକୁ ଫୁଲ, ଉପହାର, ଚକୋଲେଟ୍ ଦେଇ ପ୍ରେମକୁ ସ୍ୱୀକାର କରିଥାନ୍ତି ।
ଏହି ଭାଲେଂଟାଇନ୍ ଡେ ପ୍ରଥମେ ୟୁରୋପୀୟ ଦେଶରେ ଆରମ୍ଭ ହୋଇଥିଲା । ଆଜି ଏହି ଦିବସ ବ୍ୟାପକ ତଥା ସାର୍ବଜନୀନ ହୋଇଛି । କେବଳ ପ୍ରେମିକ ପ୍ରେମିକା ନୁହେଁ ପ୍ରତ୍ୟେକ ଦମ୍ପତି ମଧ୍ୟ ତାଙ୍କ ଭଲ ପାଇବାକୁ ଏହିଦିନ ଦର୍ଶାଇବାକୁ ଯାଇ ପରସ୍ପରକୁ ଉପହାର ଆଦି ଦେଇଥାନ୍ତି । ପରିବାରରେ ବି ଏହି ଦିବସର ଝଲକ୍ ଦେଖିବାକୁ ମିଳୁଛି ଏବେ ।