ବ୍ୟୁରୋ: ଆଜି ବି ମନେପଡେ ସେ କାଳରାତିର କଥା । ସେଦିନ ଥିଲା ୨ ଜୁନ ୨୦୨୩ । ସମୟ ପାଖାପାଖି ସନ୍ଧ୍ୟା ୭ଟା । ନିଜ ନିଜର କାର୍ୟ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । ଟ୍ରେନରେ ବସି ଖୁସିରେ କିଏ ଘରକୁ ଫେରୁଥାଏ ତ କିଏ ନିଜ କାର୍ୟ୍ୟସ୍ଥଳୀକୁ । କିନ୍ତୁ ଭାଗ୍ୟରେ ଥିଲା ବୋଧେ ଆଉ କିଛି । ହଜାର ହଜାର ଲୋକଙ୍କର ଦୁର୍ଭାଗ୍ୟର କାରଣ ପାଲଟିଗଲା କରମଣ୍ଡଳ ଟ୍ରେନ । ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଲା ଭୟଙ୍କର ଦୁର୍ଘଟଣା । ଅକାଳରେ ଚାଲିଗଲା ୨୯୬ ଜଣଙ୍କର ଜୀବନ । ମା’ ତା’ର ପୁଅକୁ ହରାଇ ବୁକୁ ଫଟେଇ କାନ୍ଦୁଥିବା ବେଳେ ବାପ ଛେଉଣ୍ଡ ହେଇଯାଇଥିଲେ ଅନେକ ଶିଶୁ । ସେପଟେ ସ୍ଵାମୀକୁ ହରାଇ ସ୍ତବ୍ଧ ହୋଇଯାଇଥିଲା ପତ୍ନୀ । ସବୁ କିଛି ସତେ ଯେମିତି ଓଲଟ ପାଲଟ ହୋଇଯାଇଥିଲା । ଆଉ ଆଜି ସେହି କାଳରାତ୍ରୀର ଘଟଣାକୁ ପୁରିଛି ଏକ ବର୍ଷ । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ ।୨୦୨୩ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ । ପରେ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢି ୨୯୬ରେ ପହଞ୍ଚିଥିଲା । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ପ୍ରଥମ ଗୋଟେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହି ଟ୍ରେନର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଉଛନ୍ତି ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । କୁହାଯାଏ ଯେ ଏମାନଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଥିଲା । ସେପଟେ ସେହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୧ ଜଣଙ୍କର କୌଣସି ପରିଚୟ ମିଳିନଥିଲା । ସେ ସମସ୍ତ ମୃତଦେହକୁ ଏମ୍ସରେ ରଖା ଯାଇଥିଲା । ଦୀର୍ଘ କିଛି ଦିନ ପରେ ୫୩ ଜଣଙ୍କର ଡିଏନଏ ପରିକ୍ଷା କରାଯାଇଥିଲା । ଡିଏନଏ ପରିକ୍ଷା ମେଳ ଖାଇବାପରେ ଦାବୀଦାର ମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।କିନ୍ତୁ ବଳିଯାଇଥିଲା ୨୮ଟି ମୃତଦେହ । ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନଥିଲେ। ଶେଷରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ୨୮ ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ୪ ମାସ ଧରି ଏହି ମୃତଦେହଗୁଡ଼ିକ କଣ୍ଟେନରରେ ସଂରକ୍ଷିତ ରଖାଯାଇଥିଲା। ଗତ ୨୦୨୩ ଅକ୍ଟୋବର ୧୧ ତାରିଖରେ ସମସ୍ତ ୨୮ଟି ମୃତଦେହକୁ ସରକାରଙ୍କ ତରଫରୁ ସଂସ୍କାର କରାଯାଇଥିଲା ।