ଆଜି ବିଶ୍ୱ ବ୍ୟନ୍ୟଜନ୍ତୁ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ରଙ୍ଗୀନ୍ ବାଲୁକାକଳା ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବନ୍ୟଜନ୍ତୁମାନଙ୍କ ସମ୍ପର୍କରେ ଜନମାନସରେ ସଚେତନତା ସୃଷ୍ଟି କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି | ସେମାନଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ , ସେମାନଙ୍କୁ ଭଲପାଇବା ଏବଂ ସେମାନଙ୍କ ଯତ୍ନ ନେବା ଆମ କର୍ତ୍ତବ୍ୟ ବୋଲି ଏହି ବାଲୁକକଳା ମାଧ୍ୟମରେ ଦର୍ଶାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟଜନ୍ତୁ ଉପରେ ପ୍ରାକୃତିକ ସମ୍ପଦର ଅସ୍ଥାୟୀ ବ୍ୟବହାରର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି । ୧୯୭୩ ମସିହାରେ ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବରେ ଥାଇଲାଣ୍ଡ ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା | ୨୦୧୩ ମସିହା ଡିସେମ୍ବର ୨୦ରେ ମିଳିତ ଜାତିସଂଘରେ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବେ ଘୋଷଣା କରାଯାଇଥିଲା । ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରମୁଖ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।