ଭୁବନେଶ୍ୱର : ସହି ହୁଏ ନାହିଁ ଟାଣ ଖରାକୁ। ମନ ଝୁରିଲାଣି ପଖାଳ ସଙ୍ଗେ ବଡ଼ି ଚୂରାକୁ।। ଖରା ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା। ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କ ଶାନ୍ତି। ବାସି ପଖାଳ ଟିକେ ଖାଇ ଦେଇ ତୋରାଣି ଟିକେ ପିଇ ଦେଲେ ଡହଡହ ଖରାରେ ବି ପାଟିରୁ ଆପେଆପେ ବାହାରିଯାଏ ‘ଓଃ କି ଶାନ୍ତି…’। ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳିତ ହେଉଛି। ଇ-ଓଡ଼ିଶା ଅର୍ଗାନାଇଜେସନ୍ ଦ୍ବାରା ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରାଯାଇଥିଲା। ଏହାପର ବର୍ଷଠାରୁ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବେ ପାଳନ କରାଯାଉଛି।