ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ମେ’ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରିଆସୁଛି । ସାରା ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ କରି ପ୍ରାୟ ୬୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଆମ ଦେଶରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତମାଖୁ ସେବନ କ୍ଷତିକାରକ ବୋଲି ବଡ ଆକାରରେ ଚିତ୍ରିତ କରିବାକୁ ନିୟମ ରହିଛି । ତମାଖୁ ଉତ୍ପାଦ ଉପରେ ସଚିତ୍ର ସଚେତନତାକୁ ବାଧ୍ୟତାମୂଳକ କରାଯାଇଛି ।୨୦୦୩ରୁ ତମାଖୁ ନିୟନ୍ତ୍ରଣ ଆଇନ୍- କୋଟପା ଲାଗୁ ହୋଇଛି । ଧାରା ୪ ଅନୁସାରେ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଦଣ୍ଡନୀୟ । ଓଡିଶାରେ ଦୀର୍ଘ ଆଠ ବର୍ଷ ତଳେ ୨୦୧୩ ଜାନୁଆରୀ ମାସରେ ଓଡିଶା ସରକାର ଗୁଟ୍ଖା ଓ ତମାଖୁ ସାମଗ୍ରୀ ବ୍ୟାନ୍ ଘୋଷଣା କରିଥିଲେ । ୮ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ସାରା ରାଜ୍ୟରେ ବେଧଡକ ଭାବରେ ଏହି ନିଶା ସାମଗ୍ରୀ ଉପଲବ୍ଧ ଅଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଆସିଲେ ସଚେତନତା ନାମରେ ସରକାରୀ ଓ ବେସରକାରୀ ସ୍ତରରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ବେ ଗୁଟଖା ଏବଂ ତମାଖୁ ସାମଗ୍ରୀର ବ୍ୟବହାର କମିବା ପରିବର୍ତ୍ତେ ବୃଦ୍ଧି ପାଉଛି । ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ସର୍ବାଧିକ। ସେଥିପାଇଁ ଭାରତକୁ ମୁଖଗହ୍ୱର କର୍କଟରୋଗର ରାଜଧାନୀ ବୋଲି କୁହାଯାଏ । ମୁଖଗହ୍ୱ କର୍କଟରୋଗର ମୁଖ୍ୟ କାରଣ ହେଉଛି ବିଷାକ୍ତ ତମାଖୁ, ପାନମସଲା, ଗୁଟ୍ଖା, ମଦ ଓ ଅନ୍ୟାନ୍ୟ ନିଶା ସେବନ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରଚାର କରାଯାଉଥିବାବେଳେ ଏହାର ମୂଳଉତ୍ପାଟନ କିନ୍ତୁ କରାଯାଉ ନାହିଁ । ତେବେ ଉଲ୍ଲେଖନୀୟ କଥା ହେଉଛି ଭାରତରେ ଓଡିଶା, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରେ ତମାଖୁ, ଗୁଟ୍ଖା ଓ ଅନ୍ୟାନ୍ୟ ନିଶା ସେବନ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ, ଏବଂ ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟକ ମୁଖଗହ୍ୱର କର୍କଟରୋଗୀ ଦେଖାଯାଇଥାନ୍ତି । ଏତଦ୍ ବ୍ୟତୀତ ମଦ , ଗଞ୍ଜେଇ, ଚରସ, ବ୍ରାଉନସୁଗାର ଇତ୍ୟାଦି ବ୍ୟବହାର ଦ୍ବାରା କର୍କଟରୋଗ ବ୍ୟାପୁଥିବା ନେଇ ବୈଜ୍ଞାନିକ ଓ ଡାକ୍ତରମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । କର୍କଟ ସମେତ କିଡ୍ନୀ, ଲିଭର, ଫୁସ୍ଫୁସ୍ ଏବଂ ହୃଦ୍ରୋଗ କ୍ଷେତ୍ରରେ ମଧ୍ୟ ଡାକ୍ତରମାନେ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ସମୟରେ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ବ ଦିଆଯିବା ସହ ଟିକାକରଣ ଉପରେ ବିଶ୍ବର ସମସ୍ତ ରାଷ୍ଟ୍ର ପ୍ରାଥମିକତା ଦେଉଛନ୍ତି ।