ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୨୬ ଡିସେମ୍ବର ୧୯୯୭ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏହି ସର୍ବବୃହତ ଆଞ୍ଚଳିକ ଦଳର ବିଶେଷତ୍ବ ହେଲା-ଏହି ଦଳ ଜନ୍ମ ନେବା ପରଠାରୁ କେବେ ବି ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇନି ବା କ୍ଷମତାରୁ ଦୂରେଇ ରହିନି। ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାବାସୀ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି। ଦଳ ଗଠନରୁ ଏପର୍ଯ୍ୟନ୍ତ ସଭାପତି ଥିବା ନବୀନ ପଟ୍ଟନାୟକ କ୍ରମାଗତ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଦୀର୍ଘବର୍ଷ କ୍ଷମତାରେ ରହିବା ସତ୍ତ୍ବେ ଦଳ ଆଜି ଓଡ଼ିଶାରେ ଏକ ମଜଭୁତ ବା ଶକ୍ତିଶାଳୀ ସ୍ଥିତିରେ ରହିଛି, ଯାହା ବିରୋଧୀ ଦଳଗୁଡ଼ିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଆଗକୁ ୨୦୨୪ ନିର୍ବାଚନ। ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ପୁଣିଥରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଚାଲିଛି। ନିକଟରେ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଦଳୀୟ ପଦ ମିଳିନଥିଲେ ବି ଆଗକୁ ସେ ନିର୍ବାଚନରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ। ଶ୍ରୀ ପାଣ୍ଡିଆନ୍ ବିଭିନ୍ନ ଜିଲାକୁ ଯାଇ ସେଠାରୁ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଦଳ ପ୍ରୟାସ ଜାରି ରଖିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ନବୀନଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ସାରା ଦେଶରେ ରେକର୍ଡ ସୃଷ୍ଟି କରିବାକୁ ଦଳର ଯୋଜନା ରହିଛି। ଅପରପକ୍ଷରେ ଦଳର ସାଙ୍ଗଠନିକ ଶକ୍ତି ବଢ଼ିବା ସାଙ୍ଗକୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ହେଲାଣି। ଟିକଟ ନମିଳିଲେ ସେମାନେ ବିରୋଧୀ ଶିବିରକୁ ଡେଇଁବାର ମଧ୍ୟ ସମ୍ଭାବନା ରହିଛି। ନିର୍ବାଚନମଣ୍ଡଳୀୱାରୀ ନେତାଙ୍କୁ ଥଇଥାନ ଆଗାମୀ ଦିନରେ ବିଜେଡି ପାଇଁ ବଡ଼ ଆହ୍ବାନ ହୋଇପାରେ।