ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ସେ ଜନ୍ମ ହୋଇଥିଲେ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ବିଜୁ। ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଗଡ଼ିଲା ଶହ ଶହ ସାଇକେଲ । ହଜାର ହଜାର ଯୁବକ ଯୁବତୀ, ଛାତ୍ରଛାତ୍ରୀ ରାଲିରେ ସାମିଲ । ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ଯିବ । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।