ଏନ୍ଏନ୍ଏସ ଓଡିଆ: ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ । ଆଜି ପ୍ରଥମ ସେମିରେ ଦୁଇଟି ମ୍ୟାଚ ରହିଛି । ମାଲେସିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ମୁକାବିଲା ହେବ ପରେ ଭାରତ ଓ ଜାପାନ ମୁହାଁମୁହିଁ ହେବେ । ରାତି ୮ଟା ୩୦ରେ ଚେନ୍ନାଇରେ ମେୟର ରାଧାକ୍ରିଷ୍ଣା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଆଜିର ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କ ମନୋାଳ ଦୃଢ ରହିଛି । କାହିଁକିନା ଶେଷ ଲିଗ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ଧୂଳିଚଟାଇ ୪-୦ ଗୋଲରେ ବିଜୟୀ ହୋଇଥିଲା ।କ୍ରମାଗତ ଭାବେ ଭାରତ ବିଜୟ ଧାରା ଜାରି ରଖିଛି ।୫ଟି ଲିଗ ମ୍ୟାଚ ଖେଳି ଭାରତ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ମୋଟ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଭାରତ । ଅନ୍ୟପଟେ ଜାପାନ ମଧ୍ୟ ୫ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ, ୨ଟି ଡ୍ର ଓ ୨ଟିରେ ପରାଜିତ ହୋଇ ୫ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଯଦି ଦେଖା ଯାଏ ଜାପାନ ଅପେକ୍ଷା ଭାରତର ପଲ୍ଲା ଭାରି ରହିଛି ।ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । କାହିଁକିନା ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି । ଶେଷ ଲିଗ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସେ ୨ଟି ଗୋଲ ଦେଇଥିଲେ । ତେଣୁ ଆଜି ମଧ୍ୟ ଅଧିକରୁ ଅଧିକ ଗୋଲ କରି ଦଳକୁ ଫାଇନାଲରେ ପହଞ୍ଚାଇବାର ଆଶା କରାଯାଉଛି । ଆଜିର ସେମି ଫାଇନାଲ ଲଢେଇ ପରେ ଆସନ୍ତାକାଲି(ଶନିବାର) ଦ୍ବିତୀୟ ସେମି ଖେଳାଯିବ ।