ପୁରୀ,(ଏନଏନଏସ ଓଡ଼ିଆ /୧୬.୦୨): ଆଜି ପଙ୍କୋଦ୍ଧାର ଏକାଦଶୀ । ବାବା ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯିବ । ବର୍ଷକେ ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ହିଁ ଠାକୁରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦିନ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରର ଏଭଳି ପରମ୍ପରା ସାରା ଦେଶରେ ବିରଳ ।
ବିଳମ୍ବିତ ରାତି ସାଢେ ୨ଟାରେ ମନ୍ଦିର ଦ୍ୱାର ଫିଟିଛି । ପେର ଠାକୁରଙ୍କ ମଙ୍ଗଳଆଳତି, ସୂର୍ୟ୍ୟ ପୂଜା, ଦ୍ୱାର ପାଳ ପୂଜା ଆଦି ନୀତି ବଢିବା ପରେ ପଙ୍କୋଦ୍ଧାର ବିଧି ଆରମ୍ଭ ହୋଇଛି । ପରେ ଠାକୁରଙ୍କ ମାଘସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପୁରାଣ ଅନୁସାରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏହି ଦିନ ହିଁ କେବଳ ବାବା ଲୋକନାଥଙ୍କ ଦର୍ଶନ କରିପାରିଥିଲେ । ବର୍ଷ ତମାମ ଠାକୁରେ ଭକ୍ତଙ୍କ ଅଭିଷେକ ସାମଗ୍ରୀରେ ବୁଡ଼ି ରହିଥାନ୍ତି । ଠାକୁରଙ୍କ ମସ୍ତକରୁ ଏସବୁ କଢ଼ାଯାଏ ନାହିଁ । ପଙ୍କୋଦ୍ଧାର ଏକାଦଶୀରେ ସେସବୁ ଉଝୁଳାଯାଏ । ଏଣୁ ଭକ୍ତମାନେ ବର୍ଷକେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ।