ଆଜି ଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଇଣ୍ଡିଆ । ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରୁ ଟିମ ଇଣ୍ଡିଆ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ସ୍ପିନକୁ ସୁହାଉଥିବା ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଜି ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ।।
୨୦୧୧ରେ ଭାରତରେ ବିଶ୍ୱକପ ଖେଳା ଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ଟ୍ରଫି କବଜା କରିଥିଲା। ଏଥର ଭାରତୀୟ କ୍ରୀଡ଼ା ପ୍ରେମୀ ରୋହିତ ଆଣ୍ଡ କୋ ଠାରୁ ସେମିତି କିଛି ଆଶା ରଖିଛନ୍ତି। ତେବେ ଦଳର ବିଶ୍ୱକପ ଦଖଲ କରିବା ମିଶନ ସେତେ ସହଜ ହେବନି।
ଭାରତର ବ୍ୟାଟିଂ ବିଶ୍ୱସ୍ତରୀୟ, ତା’ହେଲେ ଅଷ୍ଟ୍ରେଲିଆର ପେସ୍ ଆଟାକ ସର୍ବଶ୍ରେଷ୍ଠ। କିନ୍ତୁ ଚେନ୍ନାଇ ଭଳି ପିଚ୍ରେ ପେସ୍ ଆଟାକ କେତେ କାମ ଦେବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଆଜିର ମ୍ୟାଚ୍ରେ ଭାରତ ପାଇଁ ଶୁବମନ ଗିଲ୍ ଖେଳିବାର ଆଶା ନାହିଁ।
ସେ ଡେଙ୍ଗୁ ଜ୍ୱରେ ପୀଡ଼ିତ। ତାଙ୍କ ବଦଳରେ ୩୬ ବର୍ଷୀୟ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଓପନିଂ କରିପାରନ୍ତି। ଦଳର କେଏଲ ରାହୁଲ ବି ଅଛନ୍ତି। ପୂର୍ବରୁ ସେ ରୋହିତଙ୍କ ସହ ଓପନ କରିବାର ନଜିର ରହିଛି। କିନ୍ତୁ ବିଶ୍ୱକପରେ ରାହୁଲଙ୍କୁ ହିଁ ମଧ୍ୟଭାଗ ସମ୍ଭାଳିବାକୁ ପଡ଼ିବ।
୩୫ ବର୍ଷୀୟ ବିରାଟ କୋହଲି ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବ୍ୟାଟର। ସବୁ ଫର୍ମାଟରେ ସେ ନିଜର ଜଲୱା ଦେଖା ସାରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିବା ପାଇଁ ସେ ମାତ୍ର ୩ଟି ଶତକ ଆବଶ୍ୟକ କରୁଛନ୍ତି। ୨୦୧୧ରେ ସଚିନ ତେନ୍ଦୁଲକର ବିଶ୍ୱକପ ଜିତିଥିଲେ। ଏହି ଟିମରେ ବିରାଟ ମଧ୍ୟ ଥିଲେ।
ଏବେ ୧୨ ବର୍ଷ ପରେ ବିରାଟ ଭାରତୀୟ କ୍ରିକେଟର ଚେହେରା ଭାବେ ସଚିନଙ୍କ ରେକର୍ଡ ଭାଙ୍ଗିବା ସ୍ଥିତିରେ ପହଞ୍ଚି ଯାଇଛନ୍ତି। ରୋହିତ ୨୦୦୭ ଟି-୨୦ ବିଶ୍ୱକପ ଜିତିଥିବା ଟିମରେ ଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨୦୧୧ ଦିନିକିଆ ବିଶ୍ୱକପରେ ଖେଳିବାର ଅଭିଜ୍ଞତା ରଖିଛନ୍ତି।