ଆଜି ଠାରୁ ଆରମ୍ଭ ଆଖଣ୍ଡଳମଣିଙ୍କ ଚନ୍ଦନ ଯାତ୍ରା । ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଯାଏଁ ମନ୍ଦିରରେ ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ଭୋରୁ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଜଳାଭିଷେକ, ଘର୍ଷଣ ଲାଗି ହୋଇଥିଲା । ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଭିତରେ ଶୀତଳ ଉପଚାର ନୀତି କରାଯାଇଛି ।
ସମସ୍ତ ସକାଳ ନୀତିକାନ୍ତି ଅପରାହ୍ନ ୪ଟା ସୁଧା ସରିବା ପରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ । ଏବଂ ଏକ ସୁସଜ୍ଜିତ ପାଲିଙ୍କିରେ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଥିବା ଚନ୍ଦନମଣ୍ଡପକୁ ବିଜେ କରାଯିବ । ଗ୍ରୀଷ୍ମଋତୁରେ ପରମ୍ପରା ଅନୁଯାୟୀ ପ୍ରଚଣ୍ଡ ରୌଦ୍ରତାପରେ ଉପଶମ ନିମନ୍ତେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଠାରୁ ଭିତରବେଢ଼ାରେ ଶୀତଳ ଉପଚାର ନୀତି ଚାଲିଥିଲା ।
ଆଉ ଆଜି ଅକ୍ଷୟତୃତୀୟା ଠାରୁ ୨୧ଦିନ ଯାଏଁ ବାହାର ଶୀତଳ ଉପଚାର ନୀତି ଅର୍ଥାତ ଚନ୍ଦନ ନୀତି ଅନୁଷ୍ଠିତ ହେବ । ସଂନ୍ଧ୍ୟାରେ ଚନ୍ଦନମଣ୍ଡପ ପରେ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ରୀତିନୀତି ଅନୁଯାୟୀ ମହାସ୍ନାନ, ଚନ୍ଦନଲାଗି ସହ ପଂଚ ଉପଚାର ପୂଜା, ଷେଡଶ ପୂଜା ସରିବା ପରେ ୨ଟି ଡଙ୍ଗାରେ ପ୍ରସ୍ତୁତ ଚାପଡଙ୍ଗାକୁ ପ୍ରତିଷ୍ଠା କରାଯାଇ ଚନ୍ଦ୍ରଶେଖରଙ୍କୁ ପୁଷ୍କରିଣୀ ମଧ୍ୟରେ ସେବାକାରୀମାନେ ନାବକେଳି କରାଇବେ । ଏଥିପାଇଁ ଚାପଡଙ୍ଗା ଓ ପୁଷ୍କରିଣୀ ଚତୁଃପାଶ୍ୱର୍କୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।
ଚାନ୍ଦବାଲି ଦେବକାନ୍ତ ମହାନ୍ତି