ଆଜି ଚେନ୍ନାଇରେ ହେବ ବିରୋଧି ମେଳି । ଚେନ୍ନାଇରେ ବସିବ ସୀମା ପୁନଃ ନିର୍ଦ୍ଧାରଣ ବୈଠକ । ଅନ୍ୟ ବିରୋଧି ଦଳଙ୍କ ସହ ସାମିଲ ହେବ ବିରୋଧି ବିଜେଡି । କେନ୍ଦ୍ର ବିରୋଧି ଏହି ବୈଠକରେ ସାମିଲ ହେବାକୁ ଚେନ୍ନାଇରେ ପହଂଚିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁଞ୍ଜୟ କୁମାର ଦାସବର୍ମା । ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକର ନେତୃତ୍ୱ ନେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ୨୦୨୬ରେ ହୋଇପାରେ ଡିଲିମିଟେସନ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଡିଲିମିଟେସନର ମାପଦଣ୍ଡ ସାମ୍ନାକୁ ଆସିନଥିବା ବେଳେ ଦକ୍ଷିଣ ଓ ପୂର୍ବ ଭାରତ ଏଥିରେ ପ୍ରଭାବିତ ହେବାର ସମ୍ଭବନା ରହିଛି । ସେହିପରି କିଛି ଆସନ ଚାଲିଯିବ ବୋଲି ଆଶଙ୍କା କରି ତମାମ ବିରୋଧୀ ଦଳ ଗୁଡିକ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଡିଲିମିଟେସନ ଦ୍ୱାରା ଓଡିଶା ମଧ୍ୟ ପ୍ରଭାବିତ ହେବ । ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ବୈଠକରେ ଯୋଗ ଦେଉଛି ବୋଲି ଦଳୀୟ ନେତାମାନେ କହୁଛନ୍ତି ।