ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୮ .୦୨): ଓଡିଆ ସାହିତ୍ୟରେ ନାରୀ କବିଙ୍କ କଥା କହିଲେ ଆଖି ଆଗରେ ନାଚିଯାଏ ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ମୁହଁ । ଆଜି ତାଙ୍କ ଜନ୍ମ ଜୟନ୍ତୀ । ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ , ଓଡିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ସଂମ୍ପାଦିକା । ବହୁ ଭାଷାରେ ପାରଙ୍ଗମ ଥିଲେ ସେ । ତାଙ୍କ କବିତାର ସ୍ୱର ଥିଲା ବିଶ୍ୱବାସୀଙ୍କ ହିତ ପାଇ ତଥା ମଣିଷ ଜାତିର ଉନ୍ନତି ନିମନ୍ତେ । ମଣିଷର ଶ୍ରେଷ୍ଠତା ପ୍ରତିପାଦନରେ ତାଙ୍କ କବିତାରେ ତତ୍ପରତା ପ୍ରଦର୍ଶିତ ହୋଇଥାଏ । ତାଙ୍କ କବିତା ସଂକଳନଗୁଡିକ ହେଲା ଅଞ୍ଜଳି, ଉଚ୍ଛାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମଚିନ୍ତାମଣି । ଏହାସହିତ ଉପନ୍ୟାସ ରଚନା କରି ସେ ଖୁବ୍ ଯଶଶ୍ୱିନୀ ହୋଇପାରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ଭ୍ରାନ୍ତ, କାଳିବୋହୂ, ରଘୁଅରକ୍ଷିତ, ନଅତୁଣ୍ଡ ଓ ପରଶମଣି ।ନିମ୍ନ ମଧବିତ୍ତ ପରିବାରର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥାଏ ତାଙ୍କ ଉପନ୍ୟାସରେ । ତାଙ୍କ ଲେଖନୀରେ ଏବଂ କର୍ମରେ ସରୋଜିନୀ ନାଇଡୁ ବାରି ହୋଇପଡୁଥିଲେ । ତେଣୁ ତାଙ୍କୁ ଓଡିଶାର ସରୋଜିନୀ ବୋଲି ସମ୍ମୋଧନ କରାଯାଇଥାଏ । ସେ ଥିଲେ ଉଭୟ ଦ୍ରଷ୍ଟା ଓ ସ୍ରଷ୍ଟା । ମାତ୍ର ୭ ବର୍ଷ ଓଡିଶାରେ ଅବସ୍ଥାନ କରିଥିଲେ କୁନ୍ତଳା କୁମାରୀ । ଏହି ୭ ବର୍ଷରେ ତାଙ୍କ ସ୍ୱାରସତ ସେବା ବାସ୍ତବିକ ଅତୁଳନୀୟ । ମହାକାଳ ସ୍ରୋତରେ ତାଙ୍କ ଜୀବନ ଅବଧି ହୁଏତ କ୍ଷଣିକ ହେଲେ ସେ ଶାଶ୍ୱତ, ଚିରନ୍ତନତ୍ୱର ସନ୍ଧାନୀ ।