ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୭.୦୨): ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଲାଗାଭି ଠାରେ ଦେଶର ଚାଷୀଙ୍କୁ ଦେବେ ବଡ଼ ଉପହାର । ପିଏମ କିଷାନ ଯୋଜନାର ୧୬ ହଜାର କୋଟି ଟଙ୍କାର ୧୩ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୮ କୋଟି ଚାଷୀଙ୍କୁ ମିଳିବ ଏହି ଯୋଜନାର ଲାଭ । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା । ଏହାପରେ ବେଲାଗାଭି ଠାରେ ୨୭ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ପୁନଃ ବିକଶିତ ବେଲାଗାଭି ରେଳ ଷ୍ଟେସନ ସୌଧକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ସେହିପରି କର୍ଣ୍ଣାଟକର ଶିପମୋଗା ବିମାନ ବନ୍ଦରର ଉଦଘାଟନ କରିବେ ମୋଦି । କର୍ଣ୍ଣାଟକରେ ବାଣିଜ୍ୟ, ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ ଶିବମୋଗା ବିମାନ ବନ୍ଦର । ଉଡ଼ାନ ସ୍କିମ ମାଧ୍ୟମରେ ପ୍ରାୟ ୬୬୨ ଏକର ଅଞ୍ଚଳରେ ଏହି ବିମାନ ବନ୍ଦର ନିର୍ମାଣ ହୋଇଛି ।
୨୦୨୦ ମସିହାରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟଦିୟୁରପ୍ପା । ଗତ ୨୧ ତାରିଖରେ ପରୀକ୍ଷାମୂଳକ ଭାବେ ଏହି ବିମାନବନ୍ଦର ରନୱେରେ ଭାରତୀୟ ବାୟୁସେନାର ଏକ ଫାଇଟର ଜେଟ୍ ମଧ୍ୟ ଅବତରଣ କରିଥିଲା ।