ଭୁବନେଶ୍ୱର : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ଣ୍ଣ ହୋଇଛି । ଏ ଅବସରରେ ଉପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସେହିଭଳି ସାଢେ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବିଧାନସଭାରେ ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ଆଲୋଚନା ହେବ । ଏ ୩ ଘଣ୍ଟା କାଳ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗୃହରେ ସଂକଳ୍ପ ପ୍ରସ୍ତାବ ଆଗତ କରିବା ପରେ ଆଲୋଚନା ହେବ । ମାନବଜାତି ପାଇଁ ମହାର୍ଘ୍ୟ ‘ଅହିଂସା’ ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କଲେ ଏହା ମହାତ୍ମାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳିି ହେବ ବୋଲି ସଂକଳ୍ପ ଆଗତ ହେବ । ଏହି ସ୍ୱତନ୍ତ୍ର ଅଲୋଚନା ପାଇଁ ଆସନ୍ତାକାଲି ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଅଲୋଚନା ବାତିଲ କରାଯାଇଛି । ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ପ୍ରଥମଥର ପାଇଁ ସେ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ । ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଆସି ଗାନ୍ଧି କଟକ କାଠଯୋଡ଼ି ନଦୀ ପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବା ଉପଲକ୍ଷେ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।