ରାଉରକେଲା: ଦିନକପରେ ରାଉରକେଲା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କିନ୍ତୁ ସଜେଇ ହୋଇସାରିଲାଣି ଇସ୍ପାତ ସହର। ରାସ୍ତାଘାଟ ନିର୍ମାଣ, ମରାମତି ସରିବା ଉପରେ। ରାସ୍ତା ଘାଟ ସବୁ ଚକ୍ଚକ୍ ଦିଶିଲାଣି। ପ୍ରମୁଖ ଛକଗୁଡ଼ିକର ଉନ୍ନତିକରଣ ବି ସରିସାରିଲାଣି। ଛକଗୁଡ଼ିକରେ ଆଲୋକୀକରଣ କରି ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କୌଣସି ସୁଯୋଗ ବି ହାତଛଡ଼ା କରାଯାଇନି। ତେବେ କିଭଳି ରହିଛି ପ୍ରସ୍ତୁତି? କି କି ପଦକ୍ଷେପ ନିଆଯାଇଛି? ଏନେଇ ଏକ ସ୍ବତନ୍ତ୍ର ଆଲେଖ୍ୟଆସନ୍ତା ୨୧ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଦିଲ୍ଲୀରୁ ବାହାରି ଭୁବନେଶ୍ବର ରାଜଭବନରେ ପହଞ୍ଚିବେ। ସେଠାରୁ ସକାଳ ୯ଟାରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ପରେ ଝାରସୁଗୁଡ଼ାରୁ ଅନ୍ୟ ଏକ ବିମାନରେ ଆସି ଦିନ ୧୦ଟା ୪୫ ମିନିଟ୍ରେ ରାଉରକେଲା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ। ସେଠାରୁ ସିଧାସଳଖ ଏନ୍ଆଇଟି ସମାବର୍ତ୍ତନ ଉତ୍ସବକୁ ଯିବେ। ଏନ୍ଆଇଟିରେ ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏଁ ରହିବାପରେ ‘ରାଉରକେଲା ହାଉସ୍’କୁ ଆସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ। ରାଉରକେଲା ହାଉସ୍ରେ କିଛି ସମୟ ବିଶ୍ରାମ ନେବାପରେ, ଅପରାହ୍ନ ଠିକ୍ ସାଢ଼େ ୩ଟାରେ ଆଇଜିଏଚ୍ ସୁପରସ୍ପେଶିଆଲିଟି ହସପିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଅପରାହ୍ନ ୪ଟା ୪୦ ମିନିଟ୍ରେ ରାଉରକେଲା ଏୟାରଷ୍ଟ୍ରିପ୍ରୁ ଝାରସୁଗୁଡ଼ା ଦେଇ ଫେରିବାର କାର୍ଯ୍ୟକ୍ରମ ରହିଛି।