ବ୍ୟୁରୋ: ଆଜି ଏପ୍ରିଲ ୧ ତାରିଖ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଆଜି ହେଉଛି ଏକ ଗୌରବର ଦିନ । ଆଜି ହେଉଛି ଉତ୍କଳ ଦିବସ । ଏହି ଉତ୍କଳ ଦିବସଟି ଓଡିଶା ଇତିହାସରେ ଏକ ଅବିସ୍ମରଣୀୟ ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡିଶା ଗଠନ ହୋଇଥିଲା । ପ୍ରତିବର୍ଷ ଗର୍ବିତ ଓଡିଆମାନେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଥାନ୍ତି । ଦିନର ସଂଗ୍ରାମ, ଉଦ୍ୟମ ଓ ବହୁତ ପରିଶ୍ରମ ପରେ ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ତା’ ଆଗରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସ୍ୱତନ୍ତ୍ର ରାଜନୀତିକ ପରିଚୟ ନ ଥିଲା କହିଲେ ଚଳେ। ବିଭିନ୍ନ ଅଞ୍ଚଳ ବ୍ରିଟିଶ ଅମଳର ବିଭିନ୍ନ ପ୍ରେସିଡେନସିରେ ମିଶି ରହିଥିଲା। ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ସେତେବେଳର ମାଡ୍ରାସ ପ୍ରେସିଡେନସିରେ ମିଶି ରହିଥିବା ବେଳେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ବିହାର ଓ କୋଲକାତା ସହିତ ମିଶିଥିଲା। ସେହି ସମୟରେ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ପରି ବହୁ ବରପୁତ୍ରସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାକୁ ସଂଗ୍ରାମ କରିଥିଲେ। ସେମାନଙ୍କର ଉଦ୍ୟମ ଫଳବତୀ ହୋଇଥିଲା ୧୯୩୬ ଏପ୍ରିଲ ପହିଲାରେ। ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ରାଜ୍ୟ ଗଠନର ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତ ଓଡ଼ିଶାବାସୀ ସ୍ମରଣ କରୁଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୨ଜଣ ସ୍ଥାୟୀ ସଦସ୍ୟ ରହିଥିଲେ। କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ। ଆଜି ଉତ୍କଳ ଦିବସ ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।