ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ସନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôବେ । ଭୁବନେଶ୍ୱରରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ରାଜଭବନ ଯିବେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଷ୍ଟ୍ରପତି ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମହାମହିମଙ୍କ ଗସ୍ତ ପାଇଁ ଗତକାଲି ଠାରୁ ରୁଟ ଲାଇନ୍, କାରକେଡ, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥ ମଧ୍ୟ କରାଯାଇଛି । ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଉପାୟୁକ୍ତ, ୨୫ ଜଣ ଡିଏସ୍ପି, ୪୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ, ୨ଟି କୁ୍ୟଆର୍ଟି ୟୁନିଟ ଓ ଏସ୍ଓଜି ମୁତାୟନ ରହିବେ । ସେହିପରି ୧୬୦ ଜଣ ଟ୍ରାଫିକ୍ ପୁଲିସ ଓ ୧୫୦ ଗୃହରକ୍ଷୀ ବିଭିନ୍ନ ସ୍ଥାନରେ ଜଗିବେ ବୋଲି ଉପାୟୁକ୍ତ ସୂଚନା ଦେଇଛନ୍ତି ।
ରଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୬ ତାରିଖରେ ପ୍ରଥମେ କଟକ ଚଣ୍ଡି ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦଶମ ସମାବର୍ତ୍ତନ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରଷ୍ଟ୍ରପତି । ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାରପତି ଜଷ୍ଟିସ ଏସ ମୁରଲୀଧରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ୨୨ଟି ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ୨୭ ତାରିଖ ସକାଳ ୧୦ଟା ୪୫ରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦେବେ।ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକ ଉତ୍ସବରେ ସାମିଲ ହେବା ସହିତ ଚଣ୍ଡିମନ୍ଦିର, ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ।୩ ଦିନିଆ ଗସ୍ତ ସାରି ୨୭ ତାରିଖ ସନ୍ଧ୍ୟାରେ ପୁଣି ଦିଲ୍ଲୀ ଫେରିଯିବେ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା । ତେଣୁ ଏଥର ଯେମିତି ସେଭଳି ତ୍ରୁଟି ନହୁଏ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।