ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ହିତାଧିକାରୀଙ୍କୁ ଟଙ୍କା ଦିଆଯିବା ପରେ ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ରାଜ୍ୟ ସରକାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଦେବାକୁ ଯାଉଥିବାବେଳେ, ବହୁ ସଂଖ୍ୟାରେ ଆବେଦନକାରୀଙ୍କ ଏନପିସିଆଇ ସମସ୍ୟାର ସମାଧାନ ହୋଇନଥିବା ଜଣାପଡିଛି । ତେବେ ଏନପିସିଆଇ ତ୍ରୁଟି ଥିବା ୩ଲକ୍ଷ ୩୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ୟ୍ୟନ୍ତ ମାତ୍ର ୫୯ ହଜାର କ୍ଲିୟର କରିଛନ୍ତି । ଅର୍ଥାତ ଆହୁରି ୨ଲକ୍ଷ ୮୦ହଜାରରୁ ଅଧିକ ଆବେଦନକାରୀଙ୍କ ଏନପିସିଆଇ ତ୍ରୁଟିର ସମାଧାନ ହୋଇନାହିଁ । ପୂର୍ବରୁ ୮୦ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି । ଆଜି ଆଉ ୧୮ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ପରେ ସୁଭଦ୍ରା ହିତାଧିକାରୀଙ୍କ ମୋଟ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ । ଶୁକ୍ରବାର ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ସୁଭଦ୍ରା ଟଙ୍କା ପ୍ରଦାନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, “ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ । ୩ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଛି । ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ ପଡିବେନି ସେନେଇ ବ୍ୟବସ୍ଥା କରାଯାଉଛି । ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ । ସୁଭଦ୍ରା ଏକ ଫ୍ଲାଗସିପ ଯୋଜନା ନୁହେଁ ବରଂ ମହିଳାଙ୍କୁ ଉଦ୍ଯମୀ, ଉଦ୍ୟୋଗୀ ହିସାବରେ ସୁଭଦ୍ରା ଗଢି ତୋଳିବ । ଅନ୍ୟପଟେ ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।