() ଦୀର୍ଘ ୧୫ ମାସ ପରେ ପଡିଆକୁ ଫେରୁଛନ୍ତି ଋଷଭ ପନ୍ତ । ଆଜି ଆଇପିଏଲରେ ପଡିଆରେ କମାଲ ଦେଖାଇବେ ପନ୍ତ । ତେବେ ଆଜି ଆଇପିଏଲରେ ଦୁଇଟି ମ୍ୟାଚ ଖେଳାଯିବ । ଅପରାହ୍ନ ୩ଟା ୩୦ରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୧ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ତେବେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ତଥା ବ୍ୟାଟର ଋଷଭ ପନ୍ତଙ୍କ ଉପରେ । ଭୟଙ୍କର କାର ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ୧୫ ମାସ ହେବ ଚିକିତ୍ସାଧିନ ଥିଲେ ପନ୍ତ । ଆଉ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯଦିଓ ବିସିସିଆଇ ପନ୍ତଙ୍କୁ ଫିଟ ଘୋଷଣା କରିଛି ଏବଂ ସେ ୱିକେଟ କିପିଂ କରିପାରିବେ ବୋଲି କହିଛି, ତଥାପି ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିପିଂ କରାଇବ ନାହିଁ । କେବଳ ସେ ବ୍ୟାଟିଂ କରିବେ ବୋଲି ସୂଚନା ମିଳିଛି । ଏତେଦିନ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରୁଥିବାରୁ ପନ୍ତ ଖୁବ ଉତ୍ସାହିତ ଅଛନ୍ତି । ଏହାସହ ଟିକେ ନର୍ଭସ ଥିବା ମଧ୍ୟ ସେ ନିଜ ସୋସାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି । ତେବେ ମୋହାଲିରେ ନୂତନ ଭାବେ ନିର୍ମାଣ ହୋଇଥିବା ମୁଲନପୁର ସ୍ଥିତ ମହାରାଜା ଯାଦବିନ୍ଦ୍ର ସିଂହ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଅନ୍ୟପଟେ ଆଜିର ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।