ଏନ୍ଏନ୍ଏସ ଓଡିଆ, ପୁରୀ: ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି । ଦେଢ ମାସ ପରେ ଆଜି ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କ ଅବଗତ କରାଯାଇଛି । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସାମଗ୍ରୀ କଜ୍ଜଳ, ହିଙ୍ଗୁଳ, କେଶର ଓ ହରିତାଳ ଯୋଗାଇ ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ରତ୍ନ ସିଂହାସନ ଉପରେ ଚଢି ଶ୍ରୀବିଗ୍ରହରମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଏହି ସମୟରେ ମୁଖ୍ୟ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରହିବ ।
ଅନ୍ୟପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାତି ୧୧ଟା ପରେ ଦର୍ଶନ ସ୍ୱାଭାବିକ ହେବ । ଶ୍ରୀମନ୍ଦିର ପ୍ରଶାସନ-ଦତ୍ଥ ମହାପାତ୍ର ସେବକ ବିବାଦ କାରଣରୁ ନୀଳାଦ୍ରି ବିଜେ ପରଠାରୁ ରତ୍ନସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନଥିଲା । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଅଡି ବସିଥିଲେ । ଏହି ବିବାଦ କାରଣରୁ ଜୁଲାଇ ୧ ତାରିଖରୁ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନଥିଲା । ତେବେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବନକଲାଗି ନୀତି ।