ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୪.୦୨): ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢିଛି। ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ ଶନିବାରଠୁ ଅନେକ ସ୍ଥାନରେ ଶୀତ ଧୀରେ ଧୀରେ କମିବ । ଉପକୂଳ, ଦକ୍ଷିଣ ଆଭ୍ୟନ୍ତର ଓ ଉତ୍ତର ଆଭ୍ୟନ୍ତରରେ ୭ସୁଦ୍ଧା ୪ ଡିଗ୍ରୀ ବଢ଼ିପାରେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ଶନିବାର ରାତିରୁ ୭ସୁଦ୍ଧା ସ୍ୱାଭାବିକ ତାପମାତ୍ରା କ୍ରମଶଃ ବଢ଼ିବ । ଶୀତ କମିଯିବ । ଦିନ ତାପମାତ୍ରା ବି ବଢ଼ିବ । ପରବର୍ତ୍ତୀ ୪ଦିନରେ ୫ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବ । ଫଳରେ ଦିନବେଳା ପ୍ରବଳ ତାତି ଅନୁଭୂତ ହେବ । ୧୧ ଯାଏ ଏଭଳି ତାତି ରହିବ । ଦକ୍ଷିଣ ଆଭ୍ୟନ୍ତରରେ ରାତି ତାପମାତ୍ରା ୭ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢିବ । ପରବର୍ତ୍ତୀ ଦୁଇ ଦିନରେ ପୁଣି ୩ ଡିଗ୍ରୀ କମିବ । ସେହିଭଳି ୧୧ ସୁଦ୍ଧା ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିବ । ଫଳରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଭଳି ଜିଲ୍ଲାରେ ଦିନ ତାପମାତ୍ରା ବହୁତ ବଢ଼ିଯିବ । ଉତ୍ତର ଆଭ୍ୟନ୍ତରରେ ୭ ତାରିଖ ସୁଦ୍ଧା ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନରେ ୨ ଡିଗ୍ରୀ କମିପାରେ । ଦିନର ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ବଢ଼ିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ତେବେ ୭ ଓ ୮ରେ ରାଜ୍ୟରେ ଘନ କୁହୁଡ଼ି ହୋଇପାରେ । ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଉ ୨୪ ଘଣ୍ଟା ଶୀତର ପ୍ରଭାବ ରହିପାରେ ।