WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍ଲ୍ୟୁପିଏଲ୍-୨୦୨୫ରେ ଭାଗ ନେବେ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ମେଗ୍ ଲାନିଂ, ଆସ୍ଲି ଗାର୍ଡନର, ହରମନପ୍ରୀତ୍ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ଏହି ପାଞ୍ଚଟି ଦଳର ନେତୃତ୍ବ ନେବେ । ଏହି ଲିଗ୍ ଭାରତର ଚାରିଟି ସହର ବେଙ୍ଗାଲୁରୁ, ଲକ୍ଷ୍ନୌ, ମୁମ୍ବାଇ ଓ ବଡ଼ୋଦରାରେ ଖେଳାଯିବ । ତେବେ ମହିଳା ପ୍ରିମିୟର ଲିଗ୍ର ପ୍ରଥମ ୨ଟି ସଂସ୍କରଣରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚାମ୍ପିଅନ୍ ହୋଇଥିଲା । ବାକି ଆଉ ୩ଟି ଦଳଙ୍କ ଟ୍ରଫି ସ୍ୱପ୍ନ ପୂରଣ ହୋଇନଥିଲା । ତେଣୁ ତୃତୀୟ ସଂସ୍କରଣରେ ଟ୍ରଫି ପାଇଁ ସବୁ ଜୋରଦାର କସରତ କରିବେ ବୋଲି ଆଶା କରାଯାଉଛି । ସ୍ମୃତି ମନ୍ଧନାଙ୍କ ନେତୃତ୍ୱାଧିନ ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ବର୍ଷ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟ୍ରେ ହରାଇ ଚାମ୍ପିଅନ୍ ହୋଇଥିଲା । ଏଥର ମଧ୍ୟ ଦଳ ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ । ଗତବର୍ଷ ଦଳକୁ ଚାମ୍ପିଅନ୍ କରାଇଥିବା ଏଲିସ୍ ପେରୀ ଏବଂ ସ୍ପିନର ଶ୍ରେୟଙ୍କା ପାଟିଲ୍ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ଉଭୟ ଏବେ ଆହତ ଅଛନ୍ତି । ଯଦି ଫିଟ୍ ଘୋଷିତ ହୁଅନ୍ତି, ତା’ହେଲେ ଖେଳିବେ । ନଚେତ ଚାର୍ଲି ଡିନ୍ଙ୍କୁ ସୁଯୋଗ ମିଳିପାରେ । ଦଳରେ ଏକାଧିକ ପାୱାର ହିଟର ରହିଥିବାବେଳେ ବୋଲିଂ ବିଭାଗ ଦୃଢ଼ ରହିଛି । ସେହିପରି ଗୁଜରାଟ ଜାଏଣ୍ଟସ ଦଳରେ ଅନେକ ଷ୍ଟାର ପ୍ଲେୟାର ରହିଛନ୍ତି । ବେଥ ମୁନି, ଲାଉରା ଉଲଭାର୍ଟ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ, ଅଧିନାୟିକା ଆସଲି ଗାର୍ଡନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଡଟିନ୍ ପ୍ରଥମ ଥର ଆଇପିଏଲ୍ ଖେଳିବେ। ତାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଗୁଜରାଟ ଜାଏଣ୍ଟସର ସ୍ୱପ୍ନ ପୂରଣ କରିପାରିବ। ସିଜିନର ପ୍ରଥମ ମ୍ୟାଚ୍ ଖେଳାଯାଉଥିବାରୁ ଉଭୟ ଦଳ ଏକାଦଶ ଆକଳନ କରିବା ମୁସ୍କିଲ ହେବ। ବେଙ୍ଗାଲୁରୁ ଓ ଲକ୍ଷ୍ନୌ ପର୍ଯ୍ୟାୟ ଯଥାକ୍ରମେ ଫେବ୍ରୁଆରୀ ୨୧ ଓ ମାର୍ଚ୍ଚ ୩ରୁ ଆରମ୍ଭ ହେବ । ମାର୍ଚ୍ଚ ୧୦ରୁ ମୁମ୍ବାଇରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବା ସହ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ହିଁ ଏଲିମିନେଟର, ଫ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ । ସବୁ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରୁ ଆରମ୍ଭ ହେବ । ଷ୍ଟାର ସ୍ପୋଟର୍ସ ନେଟୱାର୍କ ଏହି ମ୍ୟାଚ ପ୍ରସାରଣ କରିବ । ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନୀ+ ହଟଷ୍ଟାରରେ ହେବ । ସୂଚନାଯୋଗ୍ୟ, ପୁରୁଷ IPL ୨୦୨୫ର ୧୮ତମ ସିଜିନ ଆରମ୍ଭ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ହେବ । ଆଇପିଏଲ ପାଇଁ ୧୦ର ଫ୍ରାଞ୍ଚାଇଜ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ୨୦୨୫ ପାଇଁ ଆରସିବି ଟିମର ଅଧିନାୟକ ଚୟନ ହୋଇଛି । ପ୍ରଥମେ ବିରାଟ, ତା’ପରେ ଫାଫ ଡୁପ୍ଲେସିସ ଏବଂ ପରେ ଟିମର ଅଧିନାୟକ ଦାୟିତ୍ବ ରଜତ ପାଟିଦାରଙ୍କୁ ଦିଆଯାଇଛି । ଆରସିବି ରଜତଙ୍କୁ ୧୧ କୋଟି ଟଙ୍କାରେ ରିଟେନ କରିଥିଲା ।