<h3>ପୁରୀ: ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ନୀତି ହେବା ପରେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ଵକର୍ମା ମହାରଣା। ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ମୁଖ୍ୟ ବିଶ୍ବକର୍ମା ମାନେ ଉପସ୍ଥିତ ରହି ଏହି ତୁମ୍ବ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରଥଚକ ନିର୍ମାଣରେ ଏହି ତୁମ୍ବ ବ୍ୟବହାର ହେବ। ଏଣୁ କରତିଆ ସେବକ ମାନେ ବଡ଼ ବଡ଼ କାଠଗଣ୍ଡିକୁ କରତ ସାହାଯ୍ୟରେ କାଟି ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଉଛନ୍ତି। ତୁମ୍ବ ନିର୍ମାଣ ପରେ ସୂତା ବାଡିଆ ସହ ବିନ୍ଧ ଅନୁକୂଳ ହେବ। ତେବେ ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରୂପକାର ସେବକ ମାନେ ଗୁଜ ଅନୁକୂଳ ମଧ୍ୟ କରିବେ। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ୬ଟି ଚକ ସହ ତିନୋଟି ଅଖ ଡେରାଯିବାର ବିଧି ଥିବାରୁ ସଠିକ୍ ସମୟରେ ଏହି କାର୍ଯ୍ୟ ସାରିବା ପାଇଁ କରତି ସେବାୟତଙ୍କ ସହ ବିଶ୍ବକର୍ମା ମହାରଣା ଲାଗି ପଡ଼ିଛନ୍ତି। ରଥଖଳାରେ ବିଶ୍ଵକର୍ମା, କରତି ଓ ଭୋଇ ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥିବା ବେଳେ ଦୋଳବେଦୀରେ କମାର ସେବକ ମାନେ ମଧ୍ୟ କଣ୍ଟା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ଆବଶ୍ୟକୀୟ ସମସ୍ତ କଣ୍ଟା ଏହି କମାରଶାଳରେ ତିଆରି କରାଯାଇ ବିଶ୍ଵକର୍ମାଙ୍କୁ ଯୋଗାଇ ଦିଆଯିବ।</h3>