ବ୍ୟୁରୋ : ଚିର ଦିନ ପାଇଁ ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇଦେଇ ସବୁଦିନ ପାଇଁ ଛାଡି ଚାଲିଗଲେ ଶାନ୍ତିଲତା ବାରିକ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ମିଛ ଖବର ଏବେ ସତ ହୋଇଛି । ଶାନ୍ତିଲତା ବାରିକଙ୍କ କଣ୍ଠରୁ ଆଉ ଶୁଭିବନି ଭାବପୂର୍ଣ୍ଣ ଭଜନ। ଦୀର୍ଘ ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବହୁ ଦିନରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସୋମବାର ରାତି ପ୍ରାୟ ୮ ତା ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଭଜନ ସଂଗୀତରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଭଜନ ସଙ୍ଗୀତ ପାଇଁ ସେ ଘରେ ଘରେ ପରିଚିତ । ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷ କୃତ୍ୟ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର ବିନ୍ଦୁ ସାଗର ନିକଟସ୍ଥ ବାସଭବନରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଶେଷ ଯାତ୍ରା ଆରମ୍ଭ ହୋଇଯାଇଛି । ପରିବାର ଲୋକଙ୍କ ସହ ସମ୍ପର୍କୀୟ ମାନେ ତାଙ୍କୁ ଚିର ଦିନ ପାଇଁ ବିଦାୟ ଦେଇଛନ୍ତି । ଦୁଃଖରେ ମ୍ରିୟମାଣ ହୋଇ ତାଙ୍କୁ ବିଦାୟ ଦେଇଛନ୍ତି । ଶାନ୍ତିଲତା ବାରିକଙ୍କ ଶେଷ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରିୟଜନ ମାନେ ତାଙ୍କର ସୁପରିଚିତ ‘ଭଜି ଭଜି ତୋ ନାମ ଚକ ନୟନ ମୋର ଯାଉ ଜୀବନ ଏବଂ ହେ ଚକା ନୟନ ଅଗତିର ଗତି ଦିନ ଦୁଃଖ ନାଶନ’ ସଙ୍ଗୀତ ଗାନ କରି ଶେଷ ଦର୍ଶନ କରିଛନ୍ତି। ନିଜ କଣ୍ଠର ଯାଦୁରେ ସମସ୍ତ ଭଜନପ୍ରେମୀମାନଙ୍କୁ ବିମୋହିତ କରିଥିଲେ । ତାଙ୍କ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ଭାବ ଭକ୍ତି ଯୋଡି ହୋଇ ରହିଛି । ସେ ଗାଇଥିବା ଭଜନ ମଧ୍ୟରେ, ହେ ଚକାନୟନ, ଏକା ମୋ ଜଗା ସବୁରି ମୂଳ, ମୁଁ ଯେ ଦେଉଳ ବେଢ଼ା ଦୀପ ଇତ୍ୟାଦି ରହିଛି । ତାଙ୍କ ଗୀତସବୁ ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା। ଅନ୍ୟପଟେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ।