ଏନ୍ଏନ୍ଏସ ଓଡିଆ, କଟକ; ଲଗଣା ବର୍ଷା ଫଳରେ ମହାନଦୀ ତଳମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ୫ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରିପୋର୍ଟ ଅନୁସାରେ ମହାନଦୀର ଖଇରମାଳ ଠାରେ ୪.୭୨ଲକ୍ଷ କୁ୍ୟସେକ୍ ଏବଂ ବରମୂଳରେ ୭.୮୬ଲକ୍ଷ କୁ୍ୟସେକ୍ ଓ ମୁଣ୍ଡଳିରେ ୯ଲକ୍ଷ ୧୮ହଜାର କୁ୍ୟସେକ୍ ପାଣି ପ୍ରବାହିତ ହେଉଛି । ଖଇରମାଳ ଓ ବରମୂଳ ଠାରେ ପାଣି କମୁଛି ଏବଂ ମୁଣ୍ଡଳିରେ ଜଳ ପ୍ରବାହ ସ୍ଥିର ଅଛି । ତେଣୁ ଆସନ୍ତା ୨୪ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ । ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧ. କେନ୍ଦ୍ରାପଡା ଜିଲ୍ଲାରେ ଆଜି ବନ୍ୟା ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ତକ କରିଛି । ମହାନଦୀ ଏବଂ ଅନ୍ୟ ପ୍ରମୁଖ ନଦୀରେ ବନ୍ୟା ଯୋଗୁଁ ସ୍ଥାନରେ ଜନବସତିରେ ବନ୍ୟା ପାଣି ପ୍ରବେଶ କରିଛି ।
ଅନ୍ୟ ପକ୍ଷରେ ଲଗଣା ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲ୍ାର ୪ଟି ବ୍ଲକ୍ରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଭଣ୍ଡାରିପୋଖରୀ, ତିହିଡି, ଧାମନଗର, ଚାନ୍ଦବାଲିରେ ସ୍କୁଲ୍ ଛୁଟି ଘୋଷଣା ହୋଇଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍ ରହିଛି। ହୀରାକୁଦକୁ ୪,୩୨,୮୦୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।