() ଦେଶରେ ସୁଶାସନ ପାଇଁ ଜନପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ଏଥିରେ ବ୍ୟତିକ୍ରମ ହେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଥାଏ । ପ୍ରଭାବଶାଳୀ ବ୍ୟକ୍ତି କ୍ଷମତାର ଦୁରୁପଯୋଗ କରିବାକୁ ଚାହିଁଲେ ବି ସାମୂହିକ ସ୍ୱାର୍ଥ ଓ ଜନହିତ ପାଇଁ ଯିଏ ତାର ବିରୋଧ କରେ, ସେ ଉଦାହରଣ ସୃଷ୍ଟି କରେ । ଏହି କ୍ରମରେ ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ପୋଲିସ ବିଭାଗର ହିତ ପାଇଁ ଜଣେ ମନ୍ତ୍ରୀଙ୍କୁ ବିରୋଧ କରି ତାଙ୍କ ନିର୍ଭୀକତାର ପରିଚୟ ଦେଇଥିଲେ । ଏଭଳି ଜଣେ ସାହସୀ ଏବଂ ସଚ୍ଚୋଟ ପୋଲିସ ଅଧିକାରୀ ହେଉଛନ୍ତି ଅବସରପ୍ରାପ୍ତ ଆଇପିଏସ ମୀରାନ ଚଢା ବୋରୱାନକର । ୨୦୦୧ ମସିହାରେ ମହାରାଷ୍ଟ୍ରର ତକ୍ରାଳୀନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ସେତେବେଳର ପୁଣେ ପୋଲିସ କମିଶନର ମୀରାନ । ସେ ସମୟରେ ପୋଲିସ ବିଭାଗର ୩ ଏକର ଜମିର ନିଲାମକୁ ନେଇ ମୀରାନ ଚଢା ବେଶ ପରିଚିତ ହୋଇଥିଲେ । ତେବେ ୨୦୦୧ ମସିହାରେ ପୁଣେ ଜିଲ୍ଲାର ଗାର୍ଡିଆନ ମିନିଷ୍ଟର ଥିବା ଅଜିତ ପୱାର ପୁଣେର ୟେରେୱାଡାସ୍ଥିତ ପୋଲିସ ବିଭାଗର ୩ ଏକର ଜମିକୁ ନିଲାମ କରିବାକୁ ନିଷ୍ପତି ନେଇଥିଲେ । ଏହାକୁ ମୀରାନ ଖୋଲାଖୋଲି ବିରୋଧ କରିଥିଲେ ।
ଏପରିକି ସେତେବେଳର ମହାରାଷ୍ଟ୍ରର ଗୃହମନ୍ତ୍ରୀ ଆରଆର ପାଟିଲଙ୍କ ସହ ମୀରାନଙ୍କର ଭଲ ସମ୍ପର୍କ ଥିଲା । ଏହାସତ୍ୱେ ମନ୍ତ୍ରୀ ପାଟିଲ ଏହି ଜମିକୁ ନିଲାମ ହେବାରୁ ରୋକି ପାରି ନଥିଲେ । କାରଣ ପାଟିଲଙ୍କ କ୍ଷମତା ସୀମିତ ଥିଲା । ପରବର୍ତୀ ସମୟରେ ଦୀର୍ଘ ନ୍ୟାୟିକ ସଂଘର୍ଷ ପରେ ମୀରାନ ଏହି ଜମିକୁ ପୋଲିସ ବିଭାଗ ଅଧିନକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ଏନେଇ ବିସ୍ତୃତ ଭାବେ ମୀରାନ ନିକଟରେ ଉନ୍ମୋଚିତ ତାଙ୍କ ପୁସ୍ତକ ‘ମ୍ୟାଡାମ କମିଶନର’ରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଏହି ଜମି ନିଲାମ ନିଷ୍ପତି ପୋଲିସବାହିନୀ ବିରୋଧରେ ଯାଇଥିଲା । ତେଣୁ ନିଶ୍ଚିତରୂପେ ଏହା ଏକ ଦୁର୍ନୀତି ଥିଲା । ବୋରୱାନକରଙ୍କ ଏହି ପୁସ୍ତକ ଅକ୍ଟୋବର ୧୫ ତାରିଖରେ ପ୍ରକାଶ ପାଇଛି । ଅନ୍ୟପଟେ ବୋରୱାନକରଙ୍କର ଏହି ଅଭିଯୋଗକୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଖଣ୍ଡନ କରିଛନ୍ତି । ଅଜିତ କହିଛନ୍ତି ଯେ, ପୁସ୍ତକରେ ଉଲ୍ଲେଖ କରାଯାଇଥିବା ରିପୋର୍ଟ ସହିତ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଯଦିଓ ବୋରୱାନକର ତାଙ୍କ ପୁସ୍ତକରେ ଅଜିତ ପାୱାରଙ୍କ ନାମ ଉଲ୍ଲେଖ କରିନାହାନ୍ତି, ତେବେ ସେ ଅଜିତଙ୍କୁ ଜିଲ୍ଲା ମନ୍ତ୍ରୀ ଓ ଦାଦା ବୋଲି ଉଲ୍ଲେଖ କରିଛନ୍ତି । ତେବେ ମୀରାନଙ୍କ ଏଭଳି ସାହସିକତା ପାଇଁ ସେ ଅନେକ ଯୁବ ପୋଲିସ ଅଧିକାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।