ବ୍ୟୁରୋ: ଅସହ୍ୟ ତାତି ଏବଂ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପରେ ଆଜି ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି । ପଶ୍ଚିମାଝଡ କାରଣରୁ ରାଜ୍ୟରେ ପାଗ କୋହଲା ରହିଛି । ତେବେ କୋହଲା ପାଗ ସହ ରାଜ୍ୟର ୧୪ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ସେହିପରି ୧୦ ଜିଲ୍ଲାର କୋହଲା ପାଗ ସହ ହାଲୁକା ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ ଦେବଗଡ଼ । ସୂଚନାଯୋଗ୍ୟ, ବର୍ଷା ଯୋଗୁ ୩ ରୁ ୪ ଦିନ ହେଲାଣି ରାଜ୍ୟରେ ଖରାର ପ୍ରକୋପ କମିଛି। ତେବେ ୧୩ ତାରିଖ ପରଠାରୁ ପରବର୍ତ୍ତୀ ୨ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।