ବିଶ୍ୱକପରେ ପୁଣି ହାରିଛି ପାକିସ୍ତାନ। ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ପାକିସ୍ତାନ ୧୪ ତାରିଖରେ ଭାରତ ଠାରୁ ପରାସ୍ତ ହୋଇଥିଲା। ଆଜି ବାବର ଆଜାମ ଆଣ୍ଡ କୋ ଅଷ୍ଟ୍ରେଲିଆ ଠାରୁ ୬୨ ରନରେ ହାରିଛି।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍ରେ ୯ ୱିକେଟ ହରାଇ ୩୬୭ ରନ କରିଥିଲା। ଦଳ ପକ୍ଷରୁ ଡାଭିଡ ୱାର୍ଣ୍ଣର ୧୬୩ ଓ ମିଚେଲ ମାର୍ଶ ୧୨୧ ରନର ଇନିଂସ ଖେଳିଥିଲେ। ଏହାର ଜବାବରେ ପାକିସ୍ତାନ ୪୫.୩ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୩୦୫ ରନ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ୱାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
ବେଙ୍ଗାଲୁରୁରେ ୩୬୮ ରନର ଟାର୍ଗେଟ ପାଇଥିବା ପାକିସ୍ତାନ ପାଇଁ ଦୁଇ ଓପନର ଇମାମ ଉଲ ହକ ଓ ଅବଦୁଲ୍ଲା ଶଫିକ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଅଷ୍ଟ୍ରେଲୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ପାକିସ୍ତାନ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨୧ ଓଭର ସୁଦ୍ଧା ଇମାମ ଓ ଅବଦୁଲ୍ଲା ୧୩୪ ରନର ଭାଗିଦାରୀ ମଧ୍ୟ କରିଥିଲେ।
ରିଜୱାନଙ୍କ ପରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଓସାମା ମୀର ଖାତା ଖୋଲିବା ପୂର୍ବରୁ ଜୋଶ ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ୨୭୭ରେ ପାକିସ୍ତାନକୁ ୭ମ ଝଟକା ଲାଗିଥିଲା।
୪୩ତମ ଓଭର୍ରେ ମହମ୍ମଦ ନୱାଜ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର ଜାମ୍ପାକୁ ଛକା ମାରିଥିଲେ। କିନ୍ତୁ ଓଭର୍ର ଶେଷ ବଲରେ ସେ ତାଙ୍କୁ ଷ୍ଟମ୍ପିଂ କରାଇ ଏହାର ପ୍ରତିଶୋଧ ନେଇଥିଲେ। ନୱାଜ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ। ଜାମ୍ପା ଆଜିର ମ୍ୟାଚ୍ରେ ୧୦ ଓଭର ବୋଲିଂ କରି ୫୩ ରନ ଦେବା ସହ ପାକିସ୍ତାନର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି।
୯ମ ୱିକେଟ ପାଇଁ ହାସନ ଅଲୀ ଓ ଶାହୀନ ଶାହ ଆଫ୍ରିଦି କିଛି କରିଶ୍ମା କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ପାକିସ୍ତାନକୁ ମ୍ୟାଚ୍ ଜିତିବାରେ କୌଣସି ପ୍ରକାରର ସହାୟତା କରି ନଥିଲା। ଉଭୟଙ୍କ ବ୍ୟାଟରରୁ କିଛି ଚୌକା ବାହାରିବାକୁ ପାକିସ୍ତାନ ୪୪.୪ ଓଭର୍ରେ ୩୦୦ ରନ ପାର କରିଥିଲା। କିନ୍ତୁ ଏହାର ପରବର୍ତ୍ତୀ ବଲରେ ମିଚେଲ ଷ୍ଟାର୍କ ୮ ରନ କରିଥିବା ହାସନ ଅଲୀଙ୍କ ୱିକେଟ ନେଇଥିଲେ।