କୋରାପୁଟ,(ଏନଏନଏସ ଓଡ଼ିଆ /୦୯.୦୨): ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି। ପତ୍ନୀଙ୍କ ଶବକୁ ଗାଡ଼ିରେ ଗାଁକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବ୍ୟକ୍ତି ଜଣକ କାନ୍ଧରେ ବୋହି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ଏହାଦେଖି ବାଟରେ ପୋଲିସ ଅଟକାଇଥିଲା ଓ ଆମ୍ବୁଲାନ୍ସ କରି ଶବ ପଠାଇବାର ବ୍ୟବସ୍ଥା କରିଥିଲା। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ। କିଛି ଦିନ ପୂର୍ବେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପତ୍ନୀଙ୍କୁ ସାଗରବାଲସା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ଅକାଳ ବିୟୋଗରେ ଗୁରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଶେଷକୃତ୍ୟ ପାଇଁ ପତ୍ନୀଙ୍କ ଶବକୁ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ ବୋଲି ଗୁରୁ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା।