ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ଆଜି ବିଧାନସଭାର ବଜେଟ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ନେଇ ଆକଳନ କରଯାଇଛି । ଜାତୀୟ ଅଭିବୃଦ୍ଧି ଠାରୁ ଏହା ଅଧିକ ରହିଛି । ସେହିପରି ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିବା ନେଇ ଅନୁମାନ କରାଯାଇଛି ।
ତେବେ ବଜେଟ୍ ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଥିପାଇଁ ପୋଲିସ ମହାନିର୍ଦ୍ଦୋକ, ପୋଲିସ କମିଶନର, ଭୁବନେଶ୍ୱର ଡିପିସି, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଥିଲେ । ବିଧାନସଭାର ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ପୋଲିସ ମୁତୟନ କରାଯାଇଥିବା ବେଳେ କ୍ୱିକ ଆକ୍ସନ ଫୋର୍ସ, ଡଗ୍ ସ୍କ୍ୱାଡ ଓ ବୋମା ନିଷ୍କ୍ରିୟକାରୀ ଟିମକୁ ନିୟୋଜିତ କରାଯାଇଛି । ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର ଓ ୨୦୦ ଜଣ କନଷ୍ଟେବଳ ସୁରକ୍ଷା କାର୍ଯ୍ୟରେ ସାମିଲ ହୋଇଛନ୍ତି ।