ଏଥର ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଧାଡିଭଙ୍ଗା ଆଇରନ ଟ୍ରକକୁ ସାବାଡ଼ କରିବ ସିସିଟିଭି । ଧାଡି ଭାଙ୍ଗିଲେ ହେବ କଡା କାର୍ୟ୍ୟାନୁଷ୍ଠାନ । ପାରାଦୀପ ରାଜରାସ୍ତା ରେ ବେଆଇନ ଭାବରେ ଦଲାଲ ଙ୍କ ଦ୍ୱାରା ଆଇରନ ଟ୍ରକ ଗୁଡିକ ଧାଡି ଭାଙ୍ଗି ଡାହାଣ ପଟ ରାସ୍ତାରେ ଚାଲିବାକୁ ବିରୋଧ କରି ଜେସିସି ଦେଇଥିବା ଆନ୍ଦୋଳନକୁ ଡାକରା ସ୍ଥଗିତ ରଖିଛି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଏବଂ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କ ହସ୍ତକ୍ଷେପ କରିବା ସହିତ ଟ୍ରକ ମାଲିକ ସଂଘ ଗୁଡିକ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଥିବା ନେଇ ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏବେ ପାରାଦୀପ ରାଜରାସ୍ତା ରେ ଟ୍ରକ ଗୁଡିକ ଧାଡିରେ ଗଡିବ ଏବଂ ରାତି ୧୨ ରୁ ଭୋର ୪ ଟା ଯାଏ ପେଲେଟ ଗାଡି ଚାଲିବ । ଯାହାକୁ ପୋଲିସ ପ୍ରଶାସନ ଶୃଙ୍ଖଳିତ କରିବ ବୋଲି ଗତକାଲି ପାରାଦୀପ ସର୍କିଟ ହାଉସ୍ ରେ ବସିଥିବା ମିଳିତ ବୈଠକରେ ସ୍ଥିର ହୋଇଛି। ରାସ୍ତାରେ ଇଓ ସିସିଟିଭି କ୍ୟାମେରା ଖଞ୍ଜା ଯାଇ ଧାଡିଭାଙ୍ଗି ନିୟମ ଖିଲାପ କରୁଥିବା ଅମାନିଆ ଗାଡି ଗୁଡିକ ଉପରେ କଡା ନଜର ରଖାଯିବାକୁ ସ୍ଥିର ହୋଇଛି। ପାରାଦୀପ ସର୍କିଟ ହାଉସରେ ହୋଇଥିବା ଆଲୋଚନା ଯଦିଓ ସଫଳ ହୋଇଛି, ଶିଳ୍ପମନ୍ତ୍ରୀ ଓ ଜିଲ୍ଲାପାଳ ସିଧାସଳଖ ଭାବରେ ପୋଲିସ କୁ ଟ୍ରାଫିକ ସୁପରିଚାଳନା କରିବାକୁ ନିର୍ଦେଶ ଦେଇଛନ୍ତି ତାହା କେତେ ପରିମାଣରେ ସଫଳ ହେଉଛି ଏ ନେଇ ଜେସିସି ତରଫରୁ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାସନ ଯଦି ପ୍ରତିଶ୍ରୁତି ପାଳନ କରିବାରେ ଫେଲ ମାରେ ତେବେ ଟ୍ରକ ମାଲିକ ସଂଘ ସିଧାସଳଖ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।