ସାଧାରଣତଃ ଓଡିଶାରେ ଯାତ୍ରା କରିବାକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି । ସେ ବସରେ ହେଉ ବା ଅନ୍ୟ କେଉଁ ଗାଡିରେ । ତେବେ ଓଡିଶାରେ ଏଭଳି ଏକ ଅନ୍ଧବିଶ୍ୱାସ ରହିଛି ଯେ ଯଦି ଜଣେ ମହିଳା ପ୍ରଥମେ ବସରେ ଯାତ୍ରୀ ଭାବରେ ବସନ୍ତି ତେବେ ବସଟି ଦୁର୍ଘଟଣାଗ୍ରସ୍ତ ହେବା ସହ ମା’ କାଳୀ ମଧ୍ୟ କୋପ କରିବେ । ଆଉ ବସ ମାଲିକ ଏବଂ କର୍ମଚାରୀଙ୍କ ମନରେ ଥିବା ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହାକୁ ନେଇ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ ଟର୍ମିନାଲରେ ହଠାତ ପହଂଚି ଯାଂଚ କରିଥିଲେ । ଏହାସହ ବସରେ ପ୍ରଥମେ ମହିଳା ଯାତ୍ରୀ ଚଢିବାର ମଧ୍ୟ ବ୍ୟବସ୍ଥା କରିଥିଲେ । ଏହି ଯାଂଚ ଆଗାମୀ ଦିନରେ ରାଜ୍ୟର ସମସ୍ତ ବସଷ୍ଟାଣ୍ଡରେ କରଯିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତି ହୋଇଛି । ତେବେ ଯାତ୍ରୀବାହୀ ବସ ଚାଳକ ଓ କର୍ମଚାରୀମାନେ ସାଧାରଣତଃ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ଚଢାଇ ଦେଉନଥିଲେ । ଏଭଳି କାର୍ଯ୍ୟ ଦ୍ୱାରା ଏକ ପ୍ରକାର ମହିଳାଙ୍କୁ ଅସମ୍ମାନ କରାଯାଉଥିଲା । ତେଣୁ ଏଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଦୃଢ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧୀକରଣ ବା ଏସଟିଏ କୁ ବାଣିଜ୍ୟ ଓ ବରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଦେ୍ର୍ଦଶ ଦେଇଛନ୍ତି ।